ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ସବ୍କା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ତେବେ ଏହି ବଜେଟ ପାଇଁ ଏତେ ଟଙ୍କା ଆସେ କେଉଁଠୁ କେବେ ଭାବିଛନ୍ତି କି? ସରକାର ଏତେ ପରିମାଣର ଅର୍ଥ ବଜେଟରେ କିପରି ଘୋଷଣା କରନ୍ତି।
ସର୍ବପ୍ରଥମେ, ଜାଣିବା ସରକାରଙ୍କ ଆୟ କେଉଁଠୁ ଆସେ । ତେବେ କେନ୍ଦ୍ର ସରକାର ଗ୍ରହଣ କରିଥିବା ଟଙ୍କାକୁ ରସିଦ କୁହାଯାଏ। ଯାହା ଦୁଇ ପ୍ରକାରର ପ୍ରଥମ ରାଜସ୍ୱ ଏବଂ ଦ୍ୱିତୀୟଟି ପୁଞ୍ଜି । ରାଜସ୍ୱ ରସିଦ ହେଉଛି ମୁଖ୍ୟତଃ ଟ୍ୟାକ୍ସ ଯାହା ସରକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଗ୍ରହଣ କରନ୍ତି । ଯେତେବେଳେ ବ୍ୟକ୍ତିଗତ ଆୟକର ଏବଂ ବେସରକାରୀ କମ୍ପାନୀର ଲାଭ ଉପରେ ଟ୍ୟାକ୍ସ ସଂଗ୍ରହ କରାଯାଏ, ତାକୁ ସିଧାସଳଖ ଟ୍ୟାକ୍ସ କୁହାଯାଏ ।ଏଥିମଧ୍ୟରେ ପୁଞ୍ଜି ଲାଭ ଟ୍ୟାକ୍ସ ଏବଂ ଧନ ଟ୍ୟାକ୍ସ ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ପରୋକ୍ଷ ଟ୍ୟାକ୍ସରେ ଜିଏସଟି, ଏକ୍ସାଇଜ୍ ଡ୍ୟୁଟି ଏବଂ କଷ୍ଟମ୍ସ ଡ୍ୟୁଟି ଆଦି ସାମିଲ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରଙ୍କ ବ୍ୟକ୍ତିଗତ ଆୟ ଏବଂ କର୍ପୋରେଟ୍ ଟ୍ୟାକ୍ସ ସଂଗ୍ରହ ଗତ ୧୦ ବର୍ଷ ମଧ୍ୟରେ ୧୯ ଲକ୍ଷ କୋଟିରୁ ଅଧିକ ହେବା ନେଇ ଆକଳନ କରାଯାଉଛି। ବ୍ୟକ୍ତିବିଶେଷଙ୍କ ଆୟ ବୃଦ୍ଧି ହେତୁ, ୨୦୧୩-୧୪ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୬.୩୮ ଲକ୍ଷ କୋଟିରୁ ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ୧୬.୬୧ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ମାସିକ ଜିଏସଟି ସଂଗ୍ରହ ୧.୬୬ ଲକ୍ଷ କୋଟି ଟଙ୍କା ରହିଥିଲା ଯ।ହା ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୧୧ ପ୍ରତିଶତ ଅଧିକ । ଏହିପରି ଭାବରେ ସରକାରଙ୍କ ନିକଟକୁ ଆସିଥିବା ଟିକସ ଆମେ ଦେଉଥିବା ଅର୍ଥ, ଯାହାକି ବଜେଟରେ ବିନିଯୋଗ କରାଯାଇଥାଏ ।
Comments are closed.