କନ୍ଧମାଳ: ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଶୀତର ପ୍ରକୋପ। ଜାଡ଼ରେ କଲବଲ ହେଉଛନ୍ତି ରାଜ୍ୟବାସୀ। ସେହିପରି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଦିନକୁ ଦିନ ପାରଦ ତଳମୁଁହା ହେବା ସହ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି। ଚଳିତ ବର୍ଷ ଶୀତଋତୁରେ ଜି ଉଦୟଗିରିରେ ସବୁଠାରୁ କମ ତାପମାତ୍ରା ଆଜି ରେକର୍ଡ଼ କରାଯାଇଛି।
ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଜଣାଶୁଣା ହୋଇଥିବା ବେଳେ ପ୍ରବଳ ଥଣ୍ଡା ଲୋକଙ୍କୁ କଲବଲ କରୁଛି। ଚଳିତ ବର୍ଷ ହଠାତ ତାପମାତ୍ରା କମି ପ୍ରବଳ ଥଣ୍ଡା ହେବା ସମସ୍ତଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ବିଶେଷ କରି ଗରିବ ଅସହାୟଙ୍କ ପାଇଁ ଥଣ୍ଡା ଅସହ୍ୟ ହେବାରେ ଲାଗିଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢିବା ସହ ସହର ବଜାର ଖାଁ ଖାଁ ଲାଗୁଛି। ଲୋକ ଘରେ ରହିବାକୁ ସୁରକ୍ଷିତ ମନେ କରୁଛନ୍ତି। ଏହା ସହ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି।
ଅନ୍ୟପକ୍ଷରେ, ପ୍ରବଳ ଥଣ୍ଡାରେ ବାହାର ଜିଲ୍ଲା, ରାଜ୍ୟ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଏଠାରେ ଶୀତର ମଜା ନେଉଛନ୍ତି। ବିଭିନ୍ନ ହିଲ ଷ୍ଟେସନକୁ ଯାଇ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତର ମଜା ନେଉଛନ୍ତି। ପର୍ଯ୍ୟଟନ ଋତୁରେ ଏଠାରେ ବେଶ ଭିଡ ଦେଖିବାକୁ ମିଳୁଛି।
ସେପଟେ ସନ୍ଧ୍ୟା ହେଲେ ସହରର ବିଭିନ୍ନ ଛକଗୁଡ଼ିକରେ ନିଆଁ ଜାଳି ଲୋକେ ବସିରହୁଥିବା ଦେଖିବାକୁ ମିଳୁଛି।
Comments are closed.