Latest Odisha News

କ୍ରିକେଟକୁ ଗୁଡବାୟ କହିଲେ ଗବର

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷର ସଫଳ କ୍ରିକେଟ କ୍ୟାରିଅରରେ ଯବନିକା ଟାଣିଛନ୍ତି ଶିଖର ଧାୱନ । ଗବର ଭାବେ ଲୋକପ୍ରିୟ ଧାୱନ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବେଶ୍ ଭାବବିହ୍ୱଳତାର ସହ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆ ଅଭିଜ୍ଞ ଓପନିଂ ବ୍ୟାଟସମ୍ୟାନ୍  ।

ଭାବବିହ୍ୱଳ ଅବସର ଘୋଷଣା

ଏକ୍ସରେ ଭିଡିଓ ପୋଷ୍ଟ କରି ୩୮ ବର୍ଷିୟ ଧାୱନ କହିଛନ୍ତି ଯେ, ମୁଁ ମୋର କ୍ରିକେଟ ଯାତ୍ରାର ଏହି ଅଧ୍ୟାୟ ବନ୍ଦ କରୁଛି ,କିନ୍ତୁ ମୋ ସହ ଅଂସଖ୍ୟ ସ୍ମୃତି ରହିଛି ଓ ମୁଁ ବହୁତ କୃତଜ୍ଞ । ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ । ଜୀବନରେ ଆଗକୁ ବଢିବାକୁ ହେଲେ ପୃଷ୍ଠା ଲେଉଟାଇବାକୁ ହେବ । ତେଣୁ ମୁଁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ଘୋଷଣା କରୁଛି । ମୁଁ ଏତେ ଦିନ ପର୍ଯ୍ୟନ୍ତ ଭାରତ ପାଇଁ କ୍ରିକେଟ ଖେଳିଥିବାରୁ ଶାନ୍ତିର ସହ ଅବସର ନେଉଛି ।

ଧୋନିଙ୍କ ଟିମ୍ ଇଣ୍ଡିଆର ଅଭିନ୍ନ ଅଙ୍ଗ

ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଇଣ୍ଡିଆରେ ଶିଖର ଧାୱନ ଥିଲେ ଏକ ଅଭିନ୍ନ ଅଙ୍ଗ । ତେନ୍ଦୁଲକର, ସେହୱାଗଙ୍କ ଭଳି କ୍ରିକେଟରଙ୍କ କ୍ୟାରିଅର ଶେଷ ହୋଇ ଆସୁଥିବା ବେଳେ ଜାତୀୟ ଦଳରେ ସ୍ଥାନ ପାଇଥିଲେ ଧାୱନ । ରୋହିତ ଶର୍ମାଙ୍କ ସହ ଧାୱନଙ୍କ ଓପନିଂ ବ୍ୟାଟିଂ ୨୦୧୩ରୁ ୨୦୧୯ ମଧ୍ୟରେ ଭାରତର ଅନେକ ବିଜୟରେ ସହାୟକ ହୋଇଛି । ଦିଲ୍ଲୀର ଗବର ଓ ମୁମ୍ବାଇର ହିଟମ୍ୟାନ୍ ଦିନିକିଆ କ୍ରିକେଟରେ ଭାରତର ସଫଳ ଓପନିଂ ଯୋଡି ମଧ୍ୟରେ ଅନ୍ୟତମ ।

ଅଣ୍ଡର ୧୯ ବିଶ୍ୱକପରୁ ଟିମ୍ ଇଣ୍ଡିଆ କ୍ୟାପ୍

୨୦୦୪ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଧାୱନ ସଫଳ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଟୁର୍ଣ୍ଣାମେଂଟରେ ୫୦୫ ରନ୍ ସହ ଟପ୍ ସ୍କୋରର ଥିଲେ ଧାୱନ । ୨୦୧୦ ଅକ୍ଟୋବର ୨୦ରେ ବିଶାଖାପାଟଣାରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଥିଲା ଧାୱନଙ୍କ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଶୂନରେ ଆଉଟ୍ ।

୨୦୧୩ ଥିଲା ଧାୱନଙ୍କ ଆନ୍ତର୍ଜାତିକ କ୍ୟାରିୟରର ଟର୍ଣ୍ଣିଂ ପଏଂଟ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ପଦାର୍ପଣରେ ହିଁ ଶତକ ହାସଲ କରିଥିଲେ ଧାୱନ । ମୋହାଲିରେ ୧୭୪ଟି ବଲରୁ ୧୮୭ ରନ୍ କରିଥିଲେ ଧାୱନ । ସେ ବର୍ଷ ସେ ଦିନିକିଆରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ଇଂଲଣ୍ଡରେ ଆୟୋଜିତ ଆଇସିସି ଚାମ୍ପିଅନସ ଟ୍ରଫିରେ ମାତ୍ର ୫ଟି ମ୍ୟାଚରୁ ୩୬୩ ରନ୍ କରି ଟୁର୍ଣ୍ଣାମେଂଟର ଟପ୍ ସ୍କୋରର ଥିଲେ ଧାୱନ । ଏଥିମଧ୍ୟରେ ଥିଲା ଦୁଇଟି ଶତକ । ଧାୱନଙ୍କ ବ୍ୟାଟିଂ ଭାରତକୁ ଚାମ୍ପିଅନ କରିବାରେ ସହାୟକ ହୋଇଥିଲା । ୨୦୧୫ ବିଶ୍ୱକପ୍ ଓ ୨୦୧୭ ଚାମ୍ପିଅନସ ଟ୍ରଫିରେ ମଧ୍ୟ ଟପ୍ ସ୍କୋରର ଥିଲେ ଧାୱନ । ଆଇସିସି କ୍ରିକେଟ ଟୁର୍ଣ୍ଣାମେଂଟରେ ଲଗାତର ଭଲ ପ୍ରଦର୍ଶନ ପାଇଁ ଧାୱନଙ୍କୁ କୁହାଯାଉଥିଲା ମିଷ୍ଟର ଆଇସିସି

ଦିନିକିଆରେ ଅଧିକ ସଫଳ

ଧାୱନ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଓ ୬୮ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି । ୫୦ ଓଭର ଫର୍ମାଟରେ ବେଶ୍ ସଫଳ ରହିଛନ୍ତି ଧାୱନ । ୧୬୭ଟି ଦିନିକିଆ ମ୍ୟାଚରୁ ୪୪ ଦଶମିକ ୧୧ ଆଭରେଜ ସହ ୬ ହଜାର ୭୯୩ ରନ୍ କରିଛନ୍ତି ଧାୱନ । ଏଥିରେ ୧୭ଟି ଶତକ ଓ ୩୯ଟି ଅର୍ଧଶତକ ରହିଛି । ୩୪ଟି ଟେଷ୍ଟ ଖେଳି ୭ ଶତକ ସହ ୨ ହଜାର ୩୧୫ ଓ ଅନ୍ତର୍ଜାତୀୟ ଟି-୨୦ରେ ୧ ହଜାର ୭୫୯ ରନ୍ ସ୍କୋର କରିଛନ୍ତି ଧାୱନ ।

Comments are closed.