Latest Odisha News

BREAKING NEWS

‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ନାମରେ ଖୁବଶୀଘ୍ର ଆରମ୍ଭ ହେବ ଡାକ ଟିକଟ: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ‘ଗଡଜାତ ଗାନ୍ଧୀ’ ପୁଣ୍ୟାତ୍ମା ସାରଙ୍ଗଧର ଦାସଙ୍କ ପବିତ୍ର ଜନ୍ମମାଟି ହରେକୃଷ୍ଣପୁରଠାରେ ‘ମୋ ମାଟି, ମୋ ଦେଶ’ ଅଭିଯାନ ଓ କଳସ ଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅଭିଯାନରେ ସେ ସମିଲ ହୋଇ କହିଛନ୍ତି, ଦେଶ ନିଜର ପୂର୍ବଜମାନଙ୍କୁ ମନେ ପକାଇବା ଦରକାର ଓ ଶ୍ରଦ୍ଧାଞ୍ଜଳି ଜଣାଇବା ଦରକାର। ଏହି ଅଭିଯାନରେ ସାମିଲ ହୋଇ ମୁଁ ନିଜକୁ କୃତଜ୍ଞ ଓ ସୌଭାଗ୍ୟଶାଳୀ ମନେ କରୁଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ସଂଗ୍ରାମୀ ସାରଙ୍ଗଧରଙ୍କ ନାମରେ ଏକ ଡାକ ଟିକଟ ଆରମ୍ଭ କରିବା ପାଇଁ ଗତକାଲି କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ ଆଜି ମାଆ, ମାଟି ଓ ଶହୀଦଙ୍କୁ ସମ୍ମାନ ଜଣାଇବାର ଏକ ପବିତ୍ର ଅବସର। ବିପ୍ଳବୀ ସାରଙ୍ଗଧର ସମାଜର ନିରାଶ୍ରୟ, ବଞ୍ଚିତ ଓ ନିଷ୍ପେସିତ ଲୋକଙ୍କ ଉନ୍ନତି ଲାଗି ଜୀବନବ୍ୟାପୀ ଉଦ୍ୟମ କରିଥିଲେ। ତାଙ୍କ ବ୍ୟତିତ ପବିତ୍ର ମୋହନ ପ୍ରଧାନ, ବୀର ବୈଷ୍ଣବ ପଟ୍ଟନାୟକ, ଶହୀଦ ବାଜି ରାଉତ, ମହେଶ ଚନ୍ଦ୍ର ସୁବାହୁ ସିଂ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଣୁଧର ପଣ୍ଡା, ହରମୋହନ ପଟ୍ଟନାୟକ ଓ ଲକ୍ଷ୍ମୀଧର ସାହୁଙ୍କ ଭଳି ଅନେକ ସଂଗ୍ରାମୀ ଢେଙ୍କାନାଳ ମାଟିକୁ ମହନୀୟ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ବୀର ଭୂମି ହରେକୃଷ୍ଣପୁରର ବୀର ପୁତ୍ର ସାରଙ୍ଗଧରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏକ ଡାକ ଟିକଟ ଆରମ୍ଭ କରିବା ପାଇଁ ସେ କେନ୍ଦ୍ର ରେଳ, ଯୋଗଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗତକାଲି ପତ୍ର ଲେଖିଛନ୍ତି। ସାରଙ୍ଗଧରଙ୍କ ଜୟନ୍ତୀ ସୁଦ୍ଧା ଏହି ଡାକ ଟିକଟ ପ୍ରଚଳନ ପାଇଁ ନିବେଦନ କରାଯାଇଛି। ଏହାବ୍ୟତିତ ସ୍ଥାନୀୟ ଲୋକଙ୍କର ଅପେକ୍ଷା କ୍ରମେ ହରେକୃଷ୍ଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ରାଜ୍ୟ ସରକାର ଭାରତ ସରକାରଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଲେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ଦାୟିତ୍ୱ ନିଆଯିବ। ଏହାବ୍ୟତିତ ସ୍ଥାନୀୟ ଯୁବ ବନ୍ଧୁଙ୍କର ତଥା ଗ୍ରାମରେ ସାରଙ୍ଗଧରଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମଧ୍ୟ ଭାରତ ସରକାର ସହଯୋଗୀ ହେବେ।

ବିଶେଷ ଭାବରେ ଯୁବବର୍ଗଙ୍କ ସହଯୋଗରେ ଗାଁରେ ଗାଁରେ ନେହରୁ ଯୁବ କେନ୍ଦ୍ର ସଂଗଠନ ମାଧ୍ୟମରେ ଏହି ଅଭିଯାନକୁ ସଫଳ କରିବା ଆମର ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ଏହି ଅଭିଯାନ ଅନ୍ତର୍ଗତ ‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ଜନ୍ମମାଟି ହରେକୃଷ୍ଣପୁର ଠାରେ ସମବେତ ଛାତ୍ରଛାତ୍ରୀ ଓ ନାଗରିକଙ୍କ ସହ ‘ପଞ୍ଚ ପ୍ରାଣ’ର ଶପଥ ନେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ପଞ୍ଚ ପ୍ରାଣ ହେଉଛି – ‘୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’ । ‘ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା। ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା’। ‘ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା’ ଓ ‘ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା’।

ଏହି ଅଭିଯାନର କେନ୍ଦ୍ରମନ୍ତ୍ରୀ ସାରଙ୍ଗଧରଙ୍କ ହରେକୃଷ୍ଣପୁରସ୍ଥିତ ପବିତ୍ର ‘ସ୍ମୃତି ସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ‘ଅମୃତ ବାଟିକା’ ସୃଷ୍ଟି ପାଇଁ ଏହି ‘ସ୍ମୃତି ସ୍ତମ୍ଭ’ ପରିସରରୁ ‘ଅମୃତ କଳସ’ରେ ପ୍ରଥମ ମାଟି ସଂଗ୍ରହ କରିବା ପରେ ଗାଁ ବୁଲି ଘରୁ ଘରୁ ମାଟି ସଂଗ୍ରହ କରିଥିଲେ। ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ହରେକୃଷ୍ଣପୁର ସରକାରୀ ପ୍ରାଥମିକ ହାଇସ୍କୁଲରେ ଏକ ଶହୀଦ ‘ସ୍ମାରକୀ ଫଳକ’ର ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ଏହି ଅଭିଯାନରେ ‘ବସୁଧା ବନ୍ଦନା’ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ମଧ୍ୟ କରିଥିଲେ। ଢେଙ୍କାନାଳର ବୀର ଶହୀଦଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦେଶ ପ୍ରେମୀ ସହିଦ ମାନଙ୍କର ବଳିଦାନ କେବେ ବି ବ୍ୟର୍ଥ ଯିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.