ପାଣାଜୀ: ଗୋଆ ଭର୍ନା ଥାନା ଅଞ୍ଚଳର ଏକ କୁକୁଡ଼ା ଫାର୍ମରେ ଘଟିଥିବା ହିଂସାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ଏହି ହତ୍ୟା ଅଭିଯୋଗରେ ଗଜପତି ଜିଲ୍ଲାର ଦୁଇଜଣଙ୍କୁ ଗୋଆରେ ଗିରଫ କରାଯାଇଛି।
ମୃତ ବ୍ୟକ୍ତି କନ୍ଧମାଳ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଆହତ ଜଣକ ଗଜପତିର ବାସିନ୍ଦା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ୧୨ଟା ୩୦ମି.ସମୟରେ ଅନିଲ ମୁଥାମାଝୀଙ୍କ ପତ୍ନୀ କୁନି ମାଝୀ ଦୁଇ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଭର୍ନା ଥାନାରେ ଅଭିଯୋଗ କରିଥିଲେ। ଲାଲ ଏବଂ ହଳଦିଆ ଟି-ସାର୍ଟ ପିନ୍ଧିଥିବା ଦୁଇଜଣ ବ୍ଯକ୍ତି ସେଣ୍ଟ ଆନ୍ଥୋନିର କୁକୁଡ଼ା ଫାର୍ମରେ ପ୍ରବେଶ କରି ମାଗଣାରେ କୁକୁଡ଼ା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗକାରୀଙ୍କ ସ୍ୱାମୀ ଅନିଲ ମୁଥାମାଝୀଙ୍କ ସହ ସେମାନଙ୍କ ଝଗଡ଼ା ହୋଇଥିଲା। ଫାର୍ମର ଅନ୍ୟ ଜଣେ କର୍ମଚାରୀ ଜିହୁସାୟା ମଣ୍ଡଳ ମଧ୍ୟ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ।
ଦୁଇ ଜଣ ବ୍ୟକ୍ତି ମୁଥାମାଝୀ ଏବଂ ମଣ୍ଡଳଙ୍କୁ ଛୁରୀରେ ଆକ୍ରମଣ କରି ପଳାଇ ଯାଇଥିଲେ। ମୁଥାମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜିହୁସାୟାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଘଟଣାରେ ଗଜପତିର ସନ୍ତୋଷ ମଲ୍ଲିକ (୩୨) ଏବଂ ପ୍ରଧାନ ମଣ୍ଡଳ (୩୫)ଙ୍କୁ ଗିରଫ କରାଯାଇଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
Comments are closed.