ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଏବେ ଆଗାମୀ ଏସିଆ କପ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦୁବାଇର ଆଇସିସି ଏକାଡେମୀରେ ଭାରତୀୟ ଟିମ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ମୂଖ୍ୟ କୋଚ ଗୌତମ ଗମ୍ଭୀର ଦଳର ମନୋବଳ ବଢ଼ାଇଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିବା ଯୋଗୁ ଭାରତୀୟ ଟିମର ମନୋବଳ ଉଚ୍ଚରେ ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏସିଆ କପ ଟାଇଟଲ ହାସଲ କରିବ ବୋଲି ଆଶା କରାଯାଉଛି । ଶୁଭମନ ଗିଲ, ସୂର୍ଯ୍ୟକୁମାର, ତିଳକ ବର୍ମା ଓ ସଞ୍ଜୁ ସାମସନ ବ୍ୟାଟିଂ ଅଭ୍ୟାସ କରିବା ପରେ ଫିଲ୍ଡିଂ ପ୍ରାକ୍ଟିସ ମଧ୍ୟ କରିଥିଲେ । ଆମେ ଯେଉଁଭଳି ଢ଼ଙ୍ଗରେ ଟି୨୦ ମ୍ୟାଚ ଖେଳୁଛି ଏହା ଆମକୁ ମନୋରଞ୍ଜନ କରିବା ସହ ଉତ୍ସାହିତ କରୁଛି ବୋଲି ଗିଲ କହିଛନ୍ତି । ସୂର୍ଯ୍ୟକୁମାର କହିଛନ୍ତି ଦଳରେ ଏତେ ପ୍ରତିଭାବାନ ଖେଳାଳି ଅଛନ୍ତି ଯେ, ମୋତେ ଚିନ୍ତା କରିବା ଆବଶ୍ୟକ ପଡିବ ନାହିଁ । ଆମେ ନିଶ୍ଚିତ ଭଲ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି ।
୨୦୨୪ ବିଶ୍ୱକପ ଫାଇନାଲ ପରେ ଯଶପ୍ରୀତ ବୁମରାହ ପୂର୍ନବାର ଆନ୍ତର୍ଜାତୀୟ ଟି୨୦ ଖେଳିବାକୁ ଯାଉଛନ୍ତି । ଟି୨୦ ଟିମରେ ସାମିଲ ହେବା ମୋ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏଥର ନୂଆ ଲୁକ ଆପଣାଇଛନ୍ତି । ସେ ତାଙ୍କ କେଶକୁ ସୁନେଲୀ କରି ଦେଇଛନ୍ତି । ପୁଅ ଓ ପରିବାର ସହିତ ଅଧିକ ସମୟ କାଟିଥିବାରୁ ମୋ ମନ ବେଶ ପ୍ରଫୁଲ୍ଲ ରହିଛି । ଏହା ନିଶ୍ଚିତ ଭାବେ ମ୍ୟାଚରେ ଦେଖିବାକୁ ମିଳିବ ବୋଲି ସେ ଆଶା କରିଛନ୍ତି । ଭାରତ ସେପ୍ଟେମ୍ବର ୧୦ରେ ୟୁଏଇ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହା ପରେ ୧୪ରେ ପାକିସ୍ତାନ ଓ ୧୯ରେ ଓମାନକୁ ଭେଟିବ । ସେପ୍ଟମ୍ବର ୨୦ରୁ ପ୍ଲେ ଅଫ ଆରମ୍ଭ ହେବ ।
Comments are closed.