ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ଆଲୋଚନା ସବୁଠାରେ ଚାଲିଛି । ତେବେ ନିକଟ ଭବିଷ୍ୟତରେ ଭାରତର ଖରାପ ପ୍ରଦର୍ଶନ ପାଇଁ କୋଚ ଗୌତମ ଗମ୍ଭୀର କଣ ଦାୟୀ ନୁହନ୍ତି କି ? ବର୍ଡର-ଗାଭାସ୍କର ଟ୍ରଫିରେ କୋଚ ଏବଂ ଅନ୍ୟ ଷ୍ଟାଫଙ୍କ ଭୂମିକା ମଧ୍ୟ ସନ୍ତୋଷଜନକ ରହି ନାହିଁ । ଗମ୍ଭୀର ଦାୟିିତ୍ୱ ନେବା ପରଠାରୁ ଭାରତ ୧୦ରୁ ୬ ଟେଷ୍ଟରେ ପରାଜିତ ହୋଇଛି । ଡ୍ରେସିଂ ରୁମରେ ପାଦଦେବା ପରଠାରୁ ସେ କୌଣସି ଖେଳାଳିଙ୍କ ଅତି ନିଜର ହୋଇପାରି ନାହାନ୍ତି । ଖେଳାଳିମାନେ ମଧ୍ୟ ତାଙ୍କ ନିକଟରେ ସହଜ ହୋଇପାରୁ ନାହାନ୍ତି । ଅତ୍ୟଧିକ ପରୀକ୍ଷଣ ଟିମ କମ୍ବିନେଶନକୁ ବିଗାଡି ଦେଉଛି ।
ଗମ୍ଭୀର କୋଚ ହେବା ପରଠାରୁ ଭାରତ ୬ଟିରେ ପରାଜିତ ହୋଇଥିବା ବେଳେ ୩ଟି ଜିତିଛି ଏବଂ ଗୋଟିଏ ମ୍ୟାଚ ଡ୍ର ରହିଛି । ୩ଟି ଦିନିକିଆ ମୁକାବିଲାରେ ମଧ୍ୟ ଭାରତ କୌଣସି ମ୍ୟାଚ ଜିତି ପାରିନି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅଧାରୁ ରବିଚନ୍ଦ୍ରନ ଅଶ୍ୱୀନ ଅବସର ନେଇଯିବା ଅନେକ ଗ୍ରହଣ କରିପାରି ନାହାନ୍ତି । ଟପ ଅର୍ଡରରେ ଏପଟ ସେପଟ କରିବା ଏବଂ ବ୍ୟାଟ୍ସମ୍ୟାନଙ୍କୁ ସେମାନଙ୍କ ନ୍ୟାଚୁରାଲ ଗେମ ଖେଳିବାରେ ରୋକିବା ଦଳକୁ ଆହୁରି ଅସୁବିଧାରେ ପକାଇଥିଲା । ଖେଳାଳିମାନଙ୍କ ମଧ୍ୟରେ ଗମ୍ଭୀର ସାହାସ ଭରିବା ବଦଳରେ ଅସୁରକ୍ଷିତ ମନୋଭାବ ବୃଦ୍ଧି କରାଇଛନ୍ତି । ଚୟନ କମିଟି ଏବେ ଚିନ୍ତା କରୁ ପ୍ରକୃତରେ କୋଚ ଓ ଖେଳାଳିଙ୍କ ମଧ୍ୟରେ ପ୍ରକୃତ ଦାୟୀ କିଏ ?