ନୂଆଦିଲ୍ଲୀ: ଇଡେନଗାର୍ଡେନରେ ପ୍ରଥମ ଟେଷ୍ଟ ଦକ୍ଷିଣ ଆଫ୍ରିକା ନିକଟରୁ ହାରିବା ପରେ ଭାରତୀୟ କ୍ରିକେଟ ଟିମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ଭାରତକୁ ବ୍ୟାକଫୁଟକୁ ଠେଲି ଦେଉଛି । ଦିନିକିଆ ଓ ଟି୨୦ରେ ଟିମ ଇଣ୍ଡିଆ ସ୍ଥିତି ଭଲ ରହିଥିବା ବେଳେ ଟେଷ୍ଟରେ କିନ୍ତୁ ନିରାଶ ହେବାକୁ ପଡୁଛି । ଗମ୍ଭୀର କୋଚ ଦାୟିତ୍ୱ ନେବା ପରଠାରୁ ଭାରତ ଟେଷ୍ଟ କ୍ରିକେଟରେ ଏ ଭଳି ସ୍ଥିତି ସାମ୍ନା କରୁଛି ଯାହା କି ପୂର୍ବରୁ ହୋଇ ନ ଥିଲା । ଘରୋଇ ପରିବେଶରେ ଭାରତ ଶୋଚନୀୟ ଭାବେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା । ଗମ୍ଭୀରଙ୍କ ରଣନୀତି ପରୋକ୍ଷରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପଡିଥିଲା ।
ଗମ୍ଭୀର ଜିଦ କରି ସ୍ପିନିଂ ଟ୍ରାକ ମାଗୁଛନ୍ତି । ଆଉ ଭାରତୀୟ ବ୍ୟାଟ୍ସମ୍ୟାନ ସ୍ପିନରଙ୍କ ଆଗରେ ଅସହାୟ ହୋଇ ପଡୁଛନ୍ତି । ଏବେ ୧୫ ବର୍ଷ ପରେ ଭାରତ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ୧୩ ବର୍ଷ ପରେ ମାଂଚେଷ୍ଟରରେ ଭାରତ ପରାଜୟର ସ୍ୱାଦ ଚାଖିଲା । ବର୍ଡର-ଗାଭାସ୍କର ଟ୍ରଫି ହାତଛଡା କରିବା ଓ ଗୋଟିଏ ମ୍ୟାଚରେ ୫ ଶତକ ବ୍ୟାଟ୍ସମ୍ୟାନ ମାରିବା ସତ୍ୱେ ଦଳ ହାରିଥିଲା ।

ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ୧୩ ମାସରେ ୧୮ଟି ଟେଷ୍ଟ ଖେଳିଛି । ୭ଟିରେ ବିଜୟ ହାସଲ କରିଥିବା ବେଳେ ୯ରେ ପରାଜିତ ହୋଇଛି । ୨ଟି ମ୍ୟାଚ ଡ୍ର ରହିଛି । ରବି ଶାସ୍ତ୍ରୀ କୋଚ ଥିବା ବେଳେ ଭାରତ ୪୫ଟି ଟେଷ୍ଟ ଖେଳିଥିଲା । ୨୫ରେ ବିଜୟ ହାସଲ କରିଥିବା ବେଳେ ୧୩ରେ ହାରିଥିଲା । ରାହୁଲ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ୨୪ ଟେଷ୍ଟ ଖେଳି ୧୪ରେ ବିଜୟୀ ହୋଇଥିବା ବେଳେ ୭ରେ ପରାଜିତ ହୋଇଥିଲା ।
ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଟିମ ଇଣ୍ଡିଆର ପ୍ରଦର୍ଶନ ସ୍ତର ହ୍ରାସ ପାଇବାରେ ଲାଗିଛି । ସେହିପରି ଭାରତରେ ୮ଟି ଟେଷ୍ଟ ଖେଳାଯାଇଛି । ଏଥିରେ ୫ଟି ମ୍ୟାଚ ହାରିଛି । ଶେଷ ୬ଟି ଟେଷ୍ଟରେ ଟିମ ଇଣ୍ଡିଆରେ ୪ରେ ପରାଜିତ ହୋଇଛି । ଅପରପକ୍ଷରେ ୨୦୧୧ରୁ ୨୦୨୩ ମଧ୍ୟରେ ଭାରତ ୪୧ ଟେଷ୍ଟ ଖେଳିଥିଲା, ଏଥିରେ କେବଳ ୫ରେ ପରାଜିତ ହୋଇଥିଲା । ୯ ମ୍ୟାଚ ଡ୍ର ରହିଥିବା ବେଳେ ବାକି ମ୍ୟାଚରେ ବିଜୟୀ ହୋଇଥିଲା ।
Comments are closed.