ସିଡନୀ: ଭାରତ ବର୍ଡର-ଗାଭାସ୍କର ଟ୍ରଫି ୧-୩ରେ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଛି । ଏଥିସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ମଧ୍ୟ ଭାରତ ବାଦ ପଡିଛି । ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିମାନଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ଜୋର ଦେଇଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟ ଭବିଷ୍ୟତ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଏହାର ଉତର ସେମାନେ ଦେବେ । ଏହି ଦୁଇ ଷ୍ଟାର ଖେଳାଳି ଟିମର ହିତକୁ ଆଖି ଆଗରେ ରଖି ନିଷ୍ପତି ନେବେ ବୋଲି ମୋର ଆଶା । ମୁଁ ଏଠାରେ କେଉଁ ଖେଳାଳିଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବାକୁ ଆସି ନାହିଁ । ସେମାନଙ୍କ ନିକଟରେ ଏବେ ବି ଅନେକ କ୍ରିକେଟ ବାକି ଅଛି ବୋଲି ଗମ୍ଭୀର କହିଛନ୍ତି ।
ଖରାପ ଫର୍ମ ଯୋଗୁ ରୋହିତଙ୍କୁ ୫ମ ଟେଷ୍ଟରେ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା । ସେ ଏହା ପରେ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଆଲୋଚନା ଜୋର ଧରିଥିଲା । ରୋହିତ କିନ୍ତୁ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ । ଏବେ ଗମ୍ଭୀର ଏବଂ ଅନ୍ୟ ବରିଷ୍ଠ ଖେଳାଳିମାନେ ଜୋର ଦେଉଥିବାରୁ ଆଗାମୀ ଦିନରେ ଆବଶ୍ୟକ ପଡିଲେ ରୋହିତ, କୋହଲି ରଣଜୀ କ୍ରିକେଟ ଖେଳି ପାରନ୍ତି ବୋଲି ଆଶା କରାଯାଉଛି । କୋଚ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଉପରେ ମଧ୍ୟ ବିସିସିଆଇ ଅସନ୍ତୁଷ୍ଟ ଥିବା ଜଣାପଡିଛି ।