ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଟିମ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରେ ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଂଟିଂ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଶତକକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ବିରାଟ ଜଣେ ମହାନ କ୍ରିକେଟର । ଅଷ୍ଟ୍ରେଲିଆରେ ତାଙ୍କ ରେକର୍ଡ ଭଲ ରହିଛି । ତେବେ ୫ ବର୍ଷ ମଧ୍ୟରେ କୋହଲି ମାତ୍ର ୩ଟି ଶତକ ମାରିଛନ୍ତି । ଯାହାକି ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ପଂଟିଂଙ୍କ ଏହି ମନ୍ତବ୍ୟ ନେଇ ଭାରତର କୋଚ ଗୌତମ ଗମ୍ଭୀର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ପଂଟିଂ ଅଷ୍ଟ୍ରେଲିଆ କ୍ରିକେଟ କଥା ଚିନ୍ତା କରନ୍ତୁ । ଭାରତୀୟ କ୍ରିକେଟରୁ ତାଙ୍କ କଣ ମିଳିବ ।
ରୋହିତ ଶର୍ମା ଓ ବିରାଟ କୋହଲି କେଉଁ ସ୍ତରର ଖେଳାଳି ସେ ଭଲ ଭାବେ ଜାଣନ୍ତି । ଅଷ୍ଟ୍ରେଲିଆ ପରୋକ୍ଷରେ ଭାରତ ଉପରେ ଚାପ ପକାଇବାକୁ ଉଦ୍ୟମ କରୁଛି । ତେବେ ଦଳରେ ଅନେକ ଭଲ ଖେଳାଳି ରହିଥିବାରୁ ଆମେ ନିଶ୍ଚିତ ଭାବେ ଏହି ଗସ୍ତରେ ଭଲ ପ୍ରଦର୍ଶନ କରିବୁ ବୋଲି ଗମ୍ଭୀର କହିଛନ୍ତି । ରିପୋର୍ଟ ମୁତାବକ ବ୍ୟକ୍ତିଗତ କାରଣ ଯୋଗୁ ରୋହିତ ପ୍ରଥମ ୨ଟି ଟେଷ୍ଟ ଖେଳି ନ ପାରନ୍ତି । ଯଦି ଏହା ହୁଏ ତେବେ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହ ଅଧିନାୟକ ଦାୟିତ୍ୱ ତୁଲାଇବେ ।
Comments are closed.