Latest Odisha News

ଗମ୍ଭୀରଙ୍କୁ ଟେଷ୍ଟ କୋଚ ପଦରୁ ହଟା ଯାଇପାରେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ କ୍ଲିନ ସୁଇପ ହେବା ଯୋଗୁ ଭାରତୀୟ କ୍ରିକେଟ ଟିମର କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ ରହିଛି । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ପ୍ରଦର୍ଶନ ଉପରେ ଗମ୍ଭୀରଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି । ନଭେମ୍ବର ୨୨ରୁ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ୪-୦ରେ ଏହାକୁ ଜିତିବାକୁ ପଡିବ ।

ଗମ୍ଭୀର ଏବେ ୩ଟି ଯାକ ଫର୍ମାଟରେ ଭାରତର କୋଚ ଅଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ଖରାପ ପ୍ରଦର୍ଶନ କଲେ ବିସିସିଆଇ ତାଙ୍କୁ ଟେଷ୍ଟ ଟିମର କୋଚ ପଦରୁ ହଟାଇବା ପାଇଁ ଚିନ୍ତା କରୁଛି । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣଙ୍କ ପରି ଅଭିଜ୍ଞ କୋଚଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇପାରେ । ଦିନିକିଆ ଏବଂ ଟି୨୦ରେ ଗମ୍ଭୀର ତାଙ୍କ ପଦ ବଜାୟ ରଖିବେ । ବିସିସିଆଇ ରିଭ୍ୟୁ ମିଂଟିଂରେ ଗମ୍ଭୀରଙ୍କ କୋଚିଂ ଶୈଳୀକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ।

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ କାହିଁକି ଦିଆ ଯାଇଥିଲା ବୋଲି ବିସିସିଆଇ ପ୍ରଶ୍ନ କରିଥିଲା । ସେହିପରି ର‌୍ୟାଙ୍କ ଟର୍ଣ୍ଣର ପିଚ ପ୍ରସ୍ତୁତ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଅଲରାଉଣ୍ଡର ନୀତିଶ ରେଡ୍ଡୀ ଓ ହର୍ଷିତ ରାଣାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରାଯାଇଥିଲା । ଏହା ସର୍ବସମ୍ମତି କ୍ରମେ ବଛା ଯାଇ ନ ଥିବା ବୈଠକରେ ସ୍ପଷ୍ଟ ହୋଇଛି । ଟିମ ଇଣ୍ଡିଆ ନଭେମ୍ବର ୧୦ କିମ୍ବା ୧୧ରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ।

ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରାହ, ଯଶସ୍ୱୀ ଜୈସୱାଲ, ଅଭିମନ୍ୟୁ ଈଶ୍ୱରନ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ, ସର୍ଫରାଜ ଖାଁ, ଧ୍ରୁବ ଜୁରେଲ, ଆର.ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର ।

Comments are closed.