ଜୁନାଗଡ: ପ୍ରକାଶ ପାଇଛି ଜୁନାଗଡ ଗଣ ଦୁଷ୍କର୍ମ ମାମଲାର ରାୟ। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁରର ଘନା ଜଙ୍ଗଲରେ ୫ ବର୍ଷ ତଳେ ହୋଇଥିବା ବହୁ ଚର୍ଚ୍ଚିତ ଗଣବଳାତ୍କାର ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଏହି ଘଟଣାରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଧର୍ମଗଡ଼ ଅତିରିକ୍ତ ଜିଲା ଦୌରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ୬ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର, ବକ୍ସିତୁଳସୀପାଲି ଗ୍ରାମର ଲାବଣ୍ୟ ଛତ୍ରିଆ, ଅନିରୁଦ୍ଧ ଛତ୍ରିଆ, ପ୍ରକାଶ ଓରଫ ଲୁକୁ ନାଏକ, ଶାନ୍ତ ନାଏକ ଓ ଅମିତ ନାଏକ। ଅନ୍ୟପକ୍ଷରେ, ଏହି ଘଟଣାରେ ଭିଡିଓ ଭାଇରାଲ ପାଇଁ ଗିରଫ ହୋଇଥିବା ୩ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।
ସୂଚନା ଅନୁସାରେ, ୨୦୧୯ ସେପ୍ଟେମ୍ବର ୧୪ ଅପରାହ୍ନରେ ଧର୍ମଗଡ଼ ଥାନା ଅନ୍ତର୍ଗତ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର (ବସ କଣ୍ଡକ୍ଟର) ପୀଡ଼ିତାଙ୍କୁ ନିଜ ଗାଁରେ ଛାଡ଼ି ଦେବାକୁ କହି ବାଇକରେ ଭବାନୀପାଟଣାରୁ ବସାଇ ଘରକୁ ଆଣୁଥିଲେ। ହେଲେ ଲଳିନ୍ଦ୍ର ପୀଡ଼ିତାଙ୍କୁ ଗାଁକୁ ନ ନେଇ ବାଟରେ ବନମାଳୀପୁର ଘନା ସଂରକ୍ଷଣ ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ପରେ ସେଠାରେ ଲୁଚି ରହିଥିବା ଅନ୍ୟ ୫ ଜଣ ଯୁବକ ଛୁରି ଦେଖାଇ ପୀଡ଼ିତାଙ୍କୁ ଗଣବଳାତ୍କାର କରିବା ସହ ବଳାତ୍କାର ସମୟର ଭିଡିଓ ଶୁଟିଂ କରି ଭାଇରାଲ ମଧ୍ୟ କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପରେ ଜୁନାଗଡ଼ ପୋଲିସ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୨୩ରେ କେସ୍ ନଂ ୨୨୪/୧୯ରେ ଏକ ମାମଲା ରୁଜୁ କରି ଘଟଣାରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଏହି ଘଟଣାଟି ରାଜ୍ୟରେ ଚର୍ଚ୍ଚିତ ଖବର ପାଲଟିଥିଲା।
Comments are closed.