ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଭୟ ଖେଳାଳି ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ ସେମାନେ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି । ରୋହିତ ଓ କୋହଲିଙ୍କୁ ଏହି ଦଳରୁ ବାଦ ଦିଆଯାଇପାରେ ବିଭିନ୍ନ ରିପୋର୍ଟମାନ ପ୍ରକାଶ ପାଇଛି । ଇତି ମଧ୍ୟରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ଦୁଇ ଖେଳାଳିଙ୍କୁ ନେଇ ବଡ କଥା କହିଛନ୍ତି ।
ଧଳା ବଲ କ୍ରିକେଟରେ କୋହଲି ଓ ରୋହିତ ଭାରତ ପାଇଁ ଅନେକ ସଫଳତା ଆଣିଛନ୍ତି । ସେମାନଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କରାଯିବ କମ ହେବ । ତେବେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ଭଲ ପ୍ରଦର୍ଶନ କରିବାକୁ ପଡିବ । ସେମାନେ ଭଲ ଖେଳିଲେ ଦଳରେ ସ୍ଥାନ ପାଇବେ । ଏହା ବ୍ୟତୀତ ଅନ୍ୟ କୌଣସି ଯୋଜନା ବିଷୟରେ ମୁଁ ଜାଣିନି ବୋଲି ସେ କହିଛନ୍ତି । ଅକ୍ଟୋବର ୧୯ରୁ ଭାରତୀୟ ଟିମ ଦିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ୨୦୨୭ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ଏହି ସିରିଜ ବ୍ୟତୀତ, ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଥର, ଆଫଗାନିସ୍ତାନ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ । ଟି୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଗାଙ୍ଗୁଲି କହିଛନ୍ତି । ସେ ଏବେ ବେଙ୍ଗଲ କ୍ରିକେଟ ସଂଘ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।
Comments are closed.