Latest Odisha News

BREAKING NEWS

ନିଶା କାରବାର ଉପରେ ଚଢ଼ାଉ କରିବାକୁ ଯାଇ ମାଫିଆଙ୍କଠୁ ମାଡ଼ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ନିଶାଦ୍ରବ୍ୟ ଚାଲାଣ ଅଭିଯୋଗରେ ଚଢାଉ କରିବାକୁ ଯାଇ ମାଡ ଖାଇଛନ୍ତି ଅବକାରୀ ଅଧିକାରୀ। କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଘୋଡାହଡା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଗଞ୍ଜେଇ ଚୋରା ଚାଲାଣକାରୀମାନେ ଆକ୍ରମଣ କରିବାରୁ ଅବକାରୀ ଇନ୍ସପେକ୍ଟର ଓ ଜଣେ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି। ଏହି ଅଧିକାରୀମାନେ ବେଆଇନ ଗଞ୍ଜେଇ କାରବାରକୁ ରୋକିବା ପାଇଁ ଚଢ଼ଉ କରିବାକୁ ଯାଇଥିବା ଟିମର ସଦସ୍ୟ ଥିଲେ।

ଆହତ ଦୁଇ ଜଣେ ହେଲେ ଦୁର୍ବାଦଲା ବିଶ୍ୱାଳ (ଆଇଆଇସି) ଓ ମେଘନାଦ ଶବର (କନଷ୍ଟେବଳ) ଙ୍କୁ ଗୁରୁତର ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୧୧ଟାରେ ଜୟପୁର-ବୋରିଗୁମ୍ମା ଅବକାରୀ ରେଞ୍ଜର ୩ଟି ଟିମ୍ ୩ଟି ଭ୍ୟାନରେ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଘୋଡାହଡା ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଆଇଆଇସି ବିଶ୍ୱାଳ ଓ କନେଷ୍ଟବଳ ଶବରଙ୍କ ସମେତ ୫ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଟିମ୍ ଜଙ୍ଗଲ ଭିତରକୁ ପ୍ରବେଶ କରିବାରୁ ପ୍ରାୟ ୨୦ରୁ ୨୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ଆଇଆଇସି ଓ କନେଷ୍ଟବଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା। ସେମାନେ ସର୍ଜରୀ ଓ୍ବାର୍ଡରେ ଏବେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ତୁରନ୍ତ କୋଟପାଡ ଥାନା ପୁଲିସକୁ ଖବର ଦିଆଯାଇଥିଲା। ଥାନାରୁ ଏକ ଟିମ୍ ଘୋଡାହାଡା ଗାଁକୁ ଯାଇ ଗାଁ ସମେତ ଜଙ୍ଗଲରେ ଚଢାଉ କରିଥିଲା। କିନ୍ତୁ ଗଞ୍ଜେଇ ଚୋରା ଚାଲାଣକାରୀମାନେ ପୁଲିସକୁ ଚକମା ଦେଇ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଭିତରକୁ ନିଖୋଜ ହୋଇଯାଇଥିଲେ।

Comments are closed.