Latest Odisha News

BREAKING NEWS

ଗଜପତିରୁ ଗଂଜେଇ ଯାଉଥିଲା ମୁମ୍ବାଇ; ଧରାପଡ଼ିଲା ୧୨୦ କିଲୋ

ବ୍ରହ୍ମପୁର: ଗଜପତି ଜିଲାର ମୋହନାରୁ ମୁମ୍ବାଇକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁର ସହରରେ ଧରାପଡ଼ିଛି । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ସହରର ଫାଷ୍ଟଗେଟ୍‌ ପାଖରେ ଚଢ଼ଉ କରାଯିବା ସହିତ ୧୨୦ କିଲୋ ଗଞ୍ଜେଇ ଜବତ କରାଯାଇଛି।

ମୁମ୍ବାଇର ଦୁଇ ଜଣ ଯୁବକ ଉନେଶ ମେହୁବ୍‍ ଶେଖ୍‍ ଓ ସହିଦ୍‍ ସାକିଲ୍‍ ଗିରଫ ହୋଇଛନ୍ତି। ସେମାନଙ୍କୁ ପଚରା ଉଚରା ବେଳେ ମୋହନା ଅଂଚଳରୁ ଗଞ୍ଜେଇ କିଣି ନେଇ ମୁମ୍ବାଇ ଯାଉଥିବା ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ସ୍ୱୀକାର କରିଛନ୍ତି।

୧୨୦ କିଲୋ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହୋଇଥିବା ବେଳେ ୮ଲକ୍ଷ ଟଙ୍କାର ଦାମୀ କାର ଜବତ ହୋଇଛି। ସୂଚନାଯୋଗ୍ୟ ଯେ, ଅବକାରୀ ଗୁଇନ୍ଦା ବିଭାଗର କନଷ୍ଟେବଳ ସୁଶାନ୍ତ ମହାଙ୍କୁଡ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ, ମୋହନା ଅଂଚଳରୁ ଏକ ଦାମୀ ଧଳା ରଙ୍ଗର କାରରେ କିଛି ଲୋକ ଗଞ୍ଜେଇ ଚାଲାଣ କରୁଛନ୍ତି।

ଏ ନେଇ ସେ ଡେପୁଟି ଅବକାରୀ କମିଶନର ଅଶୋକ ଶତପଥୀଙ୍କୁ ଜଣାଇଥିଲେ। ଅବକାରୀ ବିଭାଗର ଏକ ଟିମ୍‍ ଶନିବାର ସକାଳେ ବ୍ରହ୍ମପୁର ଫାଷ୍ଟଗେଟ ଛକ ନିକଟରେ ଛପି ରହିଥିଲେ।ଏହି ସମୟରେ ଉକ୍ତ ଧଳା ରଙ୍ଗର କାରଟି ଫାଷ୍ଟ ଗେଟ୍‍ ଦେଇ ବ୍ରହ୍ମପୁର ସହର ଭିତରକୁ ପ୍ରବେଶ କରୁଥିବା ବେଳେ ତାକୁ ଅଟକାଇଥିଲେ। ଯାଞ୍ଚ ବେଳେ ଗାଡ଼ି ଭିତରୁ ଗଞ୍ଜେଇ ମିଳିଥିଲା । ଉକ୍ତ ଚୋରାଚାଲାଣକାରୀମାନେ ମୋହନା ଅଂଚଳକୁ ଆସି କାର ଯୋଗେ ଏତେ ପରିମାଣରେ ଗଞ୍ଜେଇ ନେଇ ଯାଉଥିବା ଯୋଗୁଁ ପୂର୍ବରୁ ମଧ୍ୟ ସେମାନେ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି ।

Comments are closed.