Latest Odisha News

BREAKING NEWS

ଗଞ୍ଜାମ ପାଇବ ଚତୁର୍ଥ ଜାତୀୟ ଜଳ ପୁରସ୍କାର

ବ୍ରହ୍ମପୁର: ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ପାଇବା ନିମନ୍ତେ ଘୋଷଣା ହୋଇଛି । ଏଥି ସକାଶେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଏକ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଇ ଏହି ପୁରସ୍କାର ପାଇବା ସମ୍ପର୍କରେ ଅବଗତ କରାଇଛନ୍ତି ।

ଗଞ୍ଜାମ ଜିଲ୍ଲାକୁ ପ୍ରଥମ ରାଙ୍କ ଶ୍ରେଷ୍ଠ ଜିଲ୍ଲା କ୍ୟାଟେଗୋରୀରେ ଜାତୀୟ ଜଳ ପୁରସ୍କାର-୨୦୨୨ ପାଇବ ବୋଲି ମନ୍ତ୍ରଣାଳୟ ସଚିବ ପଙ୍କଜ କୁମାର ଏକ ପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ ଅବଗତ କରାଇ ବଧେଇ ଦେଇଛନ୍ତି ଏବଂ ଆଗାମୀ ଦିନରେ ଏହି ପୁରସ୍କାର ପ୍ରଦାନର ତାରିଖ ଜଣାଇ ଦିଆଗଲେ ସେହିଠାରୁ ପୁରସ୍କାର ଗ୍ରହଣ କରିବେ ବୋଲି ଜଣାଇଛନ୍ତି ।

ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ ଓ ଜିଲ୍ଲାର ଉନ୍ନତି କଳ୍ପେ କରାଯାଇଥିବା ବିଭିନ୍ନ ପଦକ୍ଷେପ ହିଁ ଏଭଳି ପୁରସ୍କାର ଆଣିପାରୁଛି ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଜଳ ସମ୍ପଦର ଦକ୍ଷ ପରିଚାଳନାକୁ ନିଶ୍ଚିତ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପଦକ୍ଷେପମାନ ଗ୍ରହଣ କରାଯାଇଛି ।

ଜଳ ସଂରକ୍ଷଣ, ଭୂତଳ ଜଳ ରିଚାର୍ଜ, ବର୍ଜ୍ୟ ଜଳର ଶୁଦ୍ଧିକରଣ ଏବଂ ପୁନଃ ବ୍ୟବହାର, ବୃହତ ବୃକ୍ଷରୋପଣ ଏବଂ ଜନ ସଚେତନତା ଏବଂ ଜଳ ସଂରକ୍ଷଣ ତଥା ପରିଚାଳନାରେ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଯାହା ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପରି ବିଭିନ୍ନ ବିଭାଗ ସହିତ ମିଳିତ ଭାବରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଖସଡା ହାତକୁ ନିଆଯାଇଛି।

ଜଳ ସମ୍ପଦ, ଜଳସେଚନ, ଜଙ୍ଗଲ, ଉଦ୍ୟାନ କୃଷି, କୃଷି, ଭୂତଳ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଇତ୍ୟାଦିର ମିଳିତ ଉଦ୍ୟମର ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

Comments are closed.