ରାୟଗଡା: ରାୟଗଡ଼ା ଟାଉନ ଥାନା ପୋଲିସକୁ ବଡ ସଫଳତା । ଧରା ପଡିଲେ ଗଞ୍ଜେଇ ମାଫିଆ। ପୋଲିସ ପେଟ୍ରୋଲିଂ ସମୟରେ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଗଞ୍ଜେଇ ଜବତ ସହ ଗୋଟିଏ ବୋଲେରୋ ଭ୍ୟାନ୍, ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଏଥିସହ ୬ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ରାୟଗଡା ଟାଉନ ଥାନା ଏସଆଇ ଏସ.କେ. ମୁର୍ମୁ ଓ ପୋଲିସ ଟିମ୍ ରାୟଗଡ଼ା ଠାରୁ ହାଲୁଆ ମଧ୍ୟରେ ପେଟ୍ରୋଲିଂ କରିବା ବେଳେ ଆଶୀର୍ବାଦ ଢାବା ନିକଟରେ ଏକ ବୋଲେରୋ ପିକଅପ ଗାଡ଼ି ଯିବା ସମୟରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରେ ୨୨ କେଜି ଓଜନର ୩୦ଟି ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ। ମୋଟ ୬୬୦ କେଜି ଗଞ୍ଜେଇ ସହିତ ଏକ ଧଳା କାର, ଗୋଟିଏ ପିସ୍ତଲ ଓ ମାଗାଜିନ୍, ଦୁଇଟି ଗୁଳି ଏବଂ ୫ଟି ମୋବାଇଲ ଜବତ କରିଥିଲା ପୋଲିସ । ଏଥିସହ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଗିରଫ ୬ ଜଣ ହେଲେ ରାୟଗଡ଼ା ସହର ନୂଆସାହିର ଆର. ଅମଲରାଜ, ଆର ଅବିନାଶ, ଆର ଆନନ୍ଦ, ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର ରଞ୍ଜିତ କରକରିଆ, କୋରାପୁଟର ମଜିବୁଲ ହକ୍ ଅଲି ଓ ଏ ବିନୋଦ କୁମାର।ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପଚରାଉଚୁରା ବେଳେ ଏହି ଗଞ୍ଜେଇ ଚନ୍ଦ୍ରପୁର ବ୍ଲକର ଏକ ରିମୋଟ ଗାଁରୁ ଆଣିଥିବା ଏବଂ ଛତିଶଗଡ ରାଜ୍ୟର ରାୟପୁରକୁ ପଠାଉ ଥିବା ସ୍ବୀକାର କରିଥିଲେ ମାଫିଆ।