Latest Odisha News

BREAKING NEWS

ତେଜୁଛି ଅଳିଆ ବିବାଦ: ବିଜେପିର ଚେତାବନୀ, କ’ଣ କରିବେ ମେୟର ମାଡାମ ?

ଭୁବନେଶ୍ୱର: ଗୋଟିଏ ପଟେ ରାଜଧାନୀକୁ ଚିକ୍କଣା କରିବା ଇଚ୍ଛା ଅନ୍ୟପଟେ ଦୈନନ୍ଦିନ ଅଳିଆ କେଉଁଠି ପକାଇବେ ସେ ନେଇ ଦ୍ୱନ୍ଦ୍ୱରେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି। ରାଜଧାନୀର ଅଳିଆ ପ୍ରତିଦିନ ଦାରୁଠେଙ୍ଗ ଡମ୍ପିୟାର୍ଡକୁ ୧୦୦ ଟ୍ରିପ୍ ଅଳିଆ ଯାଏ । ହେଲେ ଏଠିକାର ଲୋକେ ପୁତିଗନ୍ଧମୟ ପରିବେଶ ପାଇଁ ବିରୋଧ କରିବା ପରେ ଆଚାର୍ଯ୍ୟ ବିହାର ସ୍ଥିତ ସୈନିକ ସ୍କୁଲ ପାଖ ଅସ୍ଥାୟୀ ଅଳିଆଗଦାରେ ଏବେ ଏହା ପଡୁଛି । ଏବେ ସେଠି ବି ଫୁଲ ହୋଇଗଲାଣି ଅଳିଆ। ତେଣୁ ଶତାଧିକ ଗାଡ଼ି ରାସ୍ତାରେ ଛିଡା ହୋଇ ରହିଛି । ଏହାବାଦ ସହର ଭିତରେ ଥିବା ଅନ୍ୟ ଟ୍ରାଞ୍ଜିଟ୍ ସେଣ୍ଟର ମଧ୍ୟ ଉଛୁଳି ପଡିଲାଣି । ଏହାକୁ ନେଇ ଅସନ୍ତୋଷ ତେଜୁଛି।

ବିଜେପି ଆଜି ବିଭିନ୍ନ ସ୍ଥାନରେ ଅଳିଆ ଜମା ହେବା ଘଟଣାକୁ କେନ୍ଦ୍ର କରି ବିଏମସି ଅଫିସ ଘେରାଓ କରିଛି। ଦାରୁଠେଙ୍ଗରେ ୧୫ ଦିନ ହେବ ଅଳିଆ ପଡୁନଥିବାରୁ ରାଜଧାନୀର କୁଢ଼ କୁଢ଼ ଅଳିଆ ଗଦା ହୋଇଗଲାଣି। ସାଧାରଣ ଲୋକେ ଏହାକୁ ନେଇ ମଧ୍ୟ ଅଡୁଆରେ ପଡିଛନ୍ତି। ବିଜେପି ଏହାକୁ ପ୍ରସଙ୍ଗ କରି ବିଏମସି କାର୍ଯ୍ୟାଳୟ ଘେରାଓ କରିବା ସହ ମେୟର ଏବଂ କମିଶନରଙ୍କ ବିରୋଧରେ ନାରବାଜି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜଧାନୀରୁ ଅଳିଆ ନ ଉଠିଲେ ବିଜେପି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି କହିଛି। ଏଥିସହ ମେୟର ଏବଂ କମିଶନରଙ୍କୁ ରାସ୍ତାରେ ଚଳାଇ ଦିଆଯିବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛି।

ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, ରାଜଧାନୀବାସୀ ଭୋଟ୍ ଦେଇ ନୂଆ ମେୟର ବାଛିଲେ। ଲୋକେ ଭାବିଥିଲେ ତାଙ୍କ ସମସ୍ୟା ଦୂର ହେବ। ହେଲେ ସମସ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଲୋକେ ଟିକସ ଦେଉଛନ୍ତି କିନ୍ତୁ ଅଳିଆ ଘର ସାମ୍ନାରେ ପଡି ରହୁଛି। ତେଣୁ ରାଜଧାନୀରେ ଡେଙ୍ଗୁ ଭଳି ରୋଗ ବ୍ୟାପିବାରେ ଲାଗିଛି। ଆଗାମୀ ୪୮ ଘଣ୍ଟା ଭିତରେ ଲୋକଙ୍କ ସମସ୍ୟାର ସମାଧାନ ହେବା ଦରକାର। ନହେଲେ କମିଶନର ହୁଅନ୍ତୁ ବା ମେୟର ରାସ୍ତାରେ ଚାଲିପାରିବେ ନାହିଁ।

ସେହିପରି ଦାରୁଠେଙ୍ଗ ବାସିନ୍ଦା କହିଛନ୍ତି, ଅଳିଆ ଗାଡି ଦୁର୍ଘଟଣାରେ ଜଣେ ୨୨ ବର୍ଷ ଯୁବକଙ୍କ ମୃତ୍ୟୁ ଘଟିଛି। ଯଦି ରାଜଧାନୀର ଲୋକେ ଭଲ ପରିବେଶରେ ରହିବେ ତାହେଲେ ସେମାନେ କାହିଁକି ଏଭଳି ପ୍ରଦୂଷିତ ସ୍ଥାନରେ କାହିଁକି ରହିବେ ନାହିଁ ବୋଲି ସେ କହିଛନ୍ତି। ପୋଲିସ ପ୍ରଶାସନ ଲଗାଇ ଏଠାରେ ଅଳିଆ ପକାଇଲେ ଜୋରଦାର ବିରୋଧ ହେବ ବୋଲି ସେ କହିଛନ୍ତି। ଅଳିଆ ବଳପୂର୍ବକ ଭାବେ ଜମା କରିବା ଏହା ଜୁଲୁମ ବୋଲି ସାଧାରଣ ଲୋକେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ବିଏମସି ମୟେର ସୁଲୋଚନା ଦାସ କହିଛନ୍ତି, ଲୋକମାନେ ସେମାନଙ୍କ ଘର ଚାରିପାଖ ପରିସ୍କାର ପରିଚ୍ଛନ୍ନ ରଖିବେ। ଅଳିଆ ଏଣେ ତେଣେ ପକାଇଲେ ଜୋରିମାନା ଦେବେ। ସମାନ ନିୟମ ବ୍ୟବସାୟିକ ଦୋକାନ ପାଇଁ ରହିଛି ବୋଲି କହିଛନ୍ତି। ହେଲେ ଏବେ ଅଳିଆ ନଉଠିବା ନିଜ ତଣ୍ଟି ପାଇଁ କଣ୍ଟା ସାଜିଛି।

Comments are closed.