Latest Odisha News

ଭିନ୍ନ ପ୍ରଭୂ ଗଣେଶଙ୍କ ଏହି ମନ୍ଦିର, ପୂଜା ପାଆନ୍ତି ବିନା ଶୁଣ୍ଢରେ ଗଣେଶ

ଜୟପୁର: ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ଉତ୍ସବମୁଖର ପୁର ପଲ୍ଲୀ । ପିଲାଠୁ ବୁଢା ସଭିଏଁ ବାପ୍ପାଙ୍କ ପୂଜାରେ ନିମଗ୍ନ । ଚାରିଆଡେ ଗଣେଶ ପୂଜାର ଧୁମଧାମରେ ଚାଲିଛି । ଆମ ଦେଶରେ ଗଣେଶଙ୍କର ବହୁତ ମନ୍ଦିର ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ଏମିତି ମନ୍ଦିର ରହିଛି ଯେଉଁଠି ଗଣପତି ‘ମଣିଷ ରୂପ’ରେ ପୂଜା ପାଉଛନ୍ତି। ରାଜସ୍ଥାନର ରାଜଧାନୀ ଜୟପୁରରେ ଗଣେଶଙ୍କର ଏହି ମନ୍ଦିର ରହିଛି। ଏହାକୁ ଗଡ ଗଣେଶ ମନ୍ଦିର ନାମରେ ଜଣାଯାଏ। ଏହି ମନ୍ଦିରରେ ଗଣେଶଙ୍କର ବିନା ଶୁଣ୍ଢର ପ୍ରତିମା ରହିଛି। ଶୁଣ୍ଢ ନଥିବା କାରଣରୁ ଏଠାରେ ଗଣେଶଙ୍କୁ ମଣିଷ ରୂପରେ ପୂଜା କରାଯାଉଛି। ମନ୍ଦିରରେ ବୁଧବାର ଦିନ ଭକ୍ତଙ୍କର ବହୁତ ଭିଡ ଲାଗିଥାଏ। କାରଣ ବୁଧବାରକୁ ଗଣପତିଙ୍କର ଦିନ ବୋଲି କୁହାଯାଏ। ଏଥିପାଇଁ ବୁଧବାର ଦିନ ବହୁତ ସଂଖ୍ୟାରେ ଲୋକମାନେ ଏଠାକୁ ଆସିଥାନ୍ତି।

ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ମନରେ ସକାରାତ୍ମକ ଭାବନା ଆସିଥାଏ ବୋଲି ବିଶ୍ୱାସ ରହିଛି। ଏଥିସହ ମନ୍ଦିରରେ ଗଣେଶଙ୍କ ବାହନ ମୂଷିକର ୨ଟି ବଡ଼ ପ୍ରତିମା ରହିଛି। ଏମାନଙ୍କ କାନରେ ଶ୍ରଦ୍ଧାଳୁ ନିଜର ମନସ୍କାମନା ବିଷୟରେ କହିଥାନ୍ତି। ଏହି ଗଡ ଗଣେଶ ମନ୍ଦିର ଜୟପୁରର ଉତ୍ତର ଦିଗରେ ଥିବା ଅରାବଲୀର ଉଚ୍ଚତାରେ ଅବସ୍ଥିତ ଅଟେ। ମନ୍ଦିରକୁ ଯିବା ପାଇଁ ହେଲେ ୫୦୦ ମିଟରକୁ ଚଢ଼ିବାକୁ ପଡିଥାଏ। ମନ୍ଦି ଉପରକୁ ଗଲେ ପୂରା ଜୟପୁର ସହରର ସୌନ୍ଦର୍ଯ୍ୟ ଦେଖାଯାଏ। ଏଠାରେ ସହରର ଅଧିକାଂଶ ସ୍ଥାନ ଦେଖିବାକୁ ମିଳିଥାଏ। ଏହା ସହିତ ଆଖପାଖର ବାତାବରଣ ବହୁତ ଶାନ୍ତି ଲାଗିଥାଏ।

ଗଡ ଗଣେଶ ମନ୍ଦିରରେ ଗଣପତିଙ୍କର ବାଳ ରୂପ ଦର୍ଶନ କରିବା ଦ୍ବାରା ମନକୁ ଶାନ୍ତି ଲାଗିଥାଏ। କୁହାଯାଏ ଭକ୍ତମାନେ ଏଠାରୁ ନିଜ ସହିତ ବହୁତ ସକାରାତ୍ମକ ଶକ୍ତି ନେଇ ଯାଇଥାନ୍ତି। ଗଣେଶ ଚତୁର୍ଥୀର ଦ୍ବିତୀୟ ଦିନରେ ମନ୍ଦିରର ପାଖରେ ମେଳାର ଆୟୋଜନ କରାଯାଇଥାଏ। ଏହି ମନ୍ଦିରର ନିର୍ମାଣ ସୱାଇ ଜୟସିଂହ ଦ୍ବିତୀୟ କରିଥିଲେ। କୁହାଯାଏ ଯେ ଜୟସିଂହ ଜୟପୁରରେ ଅଶ୍ବମେଧ ଯଜ୍ଞର ଆୟୋଜନ କରିଥିଲେ। ସେହି ସମୟରେ ତାନ୍ତ୍ରିକ ବିଦ୍ଧି ଦ୍ବାରା ଏହି ମନ୍ଦିରର ସ୍ଥାପନା କରାଯାଇଥିଲା।

 

Comments are closed.