ମୁଲ୍ଲାନପୁର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି୨୦ରେ ଟିମ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଛି । ମ୍ୟାଚ ପରେ ମୂଖ୍ୟ କୋଚ ଗୌତମ ଗମ୍ଭୀର ଓ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ସାମାନ୍ୟ ବଚସା ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓର ଅଡିଓ ନ ଥିବାରୁ ପ୍ରକୃତ ତଥ୍ୟ କଣ ତାହା ସମ୍ମୁଖକୁ ଆସିପାରି ନାହିଁ । ବ୍ୟାଟିଂ ଅର୍ଡରରେ ବାରମ୍ବାର ପରିବର୍ତନ କରାଯାଉଥିବାରୁ ହାର୍ଦ୍ଦିକ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି ।
୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିକୁ ଆସିଯାଇଛି । ବାରମ୍ବାର କ୍ରମରେ ପରିବର୍ତନ କରାଯାଉଥିବାରୁ ଏହାର ଦଳର ପ୍ରଦର୍ଶନକୁ ପ୍ରଭାବିତ କରୁଥିବା ଅନୁମାନ କରାଯାଉଛି । ଡିସେମ୍ବର ୧୪ରେ ଧର୍ମଶାଳାରେ ତୃତୀୟ ମ୍ୟାଚ ଖେଳାଯିବ । ସିରିଜରେ ସ୍ଥିତି ମଜଭୁତ କରିବା ପାଇଁ ଏହି ମ୍ୟାଚରେ ଉଭୟ ଟିମ ବିଜୟ ହାସଲ ଲକ୍ଷ୍ୟରେ ରହିବେ । ତିଳକ ବର୍ମା ଦ୍ୱିତୀୟ ଟି୨୦ରେ ଏକାକୀ ସଂଘର୍ଷ କରିଥିଲେ ମଧ୍ୟ ଅନ୍ୟମାନେ ବିଫଳ ହୋଇଥିଲେ । ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ।