ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ କରାଯିବା ପୂର୍ବରୁ ଅନେକ ନାଟକୀୟ ପରିସ୍ଥିତି ଦେଖିବାକୁ ପଡିଥିଲା । ବିସିସିଆଇ ଅନଭିଜ୍ଞ ଗମ୍ଭୀରଙ୍କୁ ବଡ ଦାୟିତ୍ୱ ପ୍ରଦାନ କରିଥିଲା । ତେବେ ତାଙ୍କର ସମସ୍ତ କଥା ମାନିନେବା ଏବେ ସମସ୍ୟା ସୃଷ୍ଟି କରିଛି । ଟି୨୦ ବିଶ୍ୱକପ ଜିତିବା ପରେ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଅଳ୍ପ ଦିନ ମଧ୍ୟରେ ଭାରତୀୟ କ୍ରିକେଟ ଅନେକ କଳଙ୍କ ମୁଣ୍ଡେଇ ସାରିଛି ।
ଏବେ ବିସିସିଆଇ ଚେତିଛି । ଗମ୍ଭୀରଙ୍କୁ ତାଙ୍କ ରଣନୀତି ସମ୍ପର୍କରେ ପଚରାଉଚରା ଆରମ୍ଭ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳ ଭଲ ପ୍ରଦର୍ଶନ ନ କଲେ ଗମ୍ଭୀର ଅଡୁଆରେ ପଡିଯିବେ । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଟି୨୦ ସିରିଜ ଜିତିଥିବା ବେଳେ ଦିନିକିଆ ଏବଂ ଟେଷ୍ଟରେ ଖରାପ ପ୍ରଦର୍ଶନ କରିଛି । ଗମ୍ଭୀରଙ୍କ ଜିଦ ଯୋଗୁ ଅଭିଷେକ ନାୟାର ଓ ର୍ୟାନ ଟେନ ଡୋଶ୍ଚେଟଙ୍କୁ ସହକାରୀ କୋଚ ଭାବେ ନିଯୁକ୍ତ କରାଯାଇଥିଲା । ୨୭ ବର୍ଷ ପରେ ଶ୍ରୀଲଙ୍କା ନିକଟରୁ ଭାରତ ୦-୨ରେ ଦିନିକିଆ ସିରିଜ ହାରିଥିଲା । ଗୋଟିଏ ମ୍ୟାଚ ଟାଇ ରହିଥିଲା । ୧୯୯୭ରେ ଶ୍ରୀଲଙ୍କା ଶେଷ ଥର ଭାରତ ବିପକ୍ଷରେ ସିରିଜ ଜିତିଥିଲା । ଏହା ପରେ ଭାରତ ୧୧ଟି ମ୍ୟାଚ ଖେଳିଥିଲା ଏବଂ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଥିଲା ।
ସେହିପରି ପ୍ରଥମ ଥର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ସମସ୍ତ ମୁକାବିଲାରେ ଅଲଆଉଟ ହୋଇଥିଲା । ଶ୍ରୀଲଙ୍କା ସ୍ପିନର୍ସ ଭାରତର ୩୦ରୁ ୨୭ ୱିକେଟ ନେଇଥିଲେ । ୨୦୨୪ରେ ଏ ପର୍ଯ୍ୟନ୍ତ ଭାରତ କୌଣସି ଦିନିକିଆରେ ବିଜୟ ହାସଲ କରିନି । ଏହି କ୍ୟାଲେଣ୍ଡର ବର୍ଷରେ ଭାରତ ୩ଟି ମ୍ୟାଚ ଖେଳିବା ସତ୍ୱେ ଗୋଟିଏ ହେଲେ ମ୍ୟାଚ ଜିତିପାରିନି । ୧୯୭୯ରେ ଭାରତୀୟ ଟିମ କୌଣସି ଦିନିକିଆ ମ୍ୟାଚରେ ବିଜୟ ହାସଲ କରିପାରି ନ ଥିଲା ।
୩୬ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପରାଜୟବରଣ କରିଛି । ୧୯୮୮ରେ କିୱି ଟିମ ଭାରତକୁ ଶେଷ ଥର ହରାଇଥିଲେ । ସେହିପରି ୧୯ ବର୍ଷ ପରେ ଭାରତୀୟ ଟିମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟେଷ୍ଟରେ ପରାଜୟବରଣ କରିଛି । ୨୦୦୫ରେ ଏଠାରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ହାରିଥିଲା । ଘରୋଇ ପରିବେଶରେ ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ୫୦ରୁ କମ ସ୍କୋରରେ ଅଲଆଉଟ ହୋଇଛି ।
ଘରୋଇ ପରିବେଶରେ ୧୮ଟି ଟେଷ୍ଟ ସିରିଜ ଜିତିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ଲିନ ସୁଇପ ହୋଇଛି । ୨୪ ବର୍ଷ ପରେ ଭାରତ ଏହି ଅଲୋଡା ରେକର୍ଡ କରିଛି । ୨୦୦୦ରେ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ସିରିଜରେ ବିଜୟ ହାସଲ କରିଥିଲା । ୧୯୩୩ ପରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ଥର ପାଇଁ କ୍ଲିନ ସୁଇପ ହୋଇଛି । ଓଭରାଲ ୪ର୍ଥ ଟିମ ଭାବେ ଘରେ ନ୍ୟୁଜିଲାଣ୍ଡ ୩-୦ରେ ଭାରତକୁ ହରାଇଛି । ଇଂଲଣ୍ଡ ୪ଥର, ଅଷ୍ଟ୍ରେଲିଆ ୩ ଥର ଓ ୱେଷ୍ଟଇଣ୍ଡିଜ ଥରେ ଭାରତକୁ କ୍ଲିନ ସୁଇପ କରିଛି ।