Latest Odisha News

BREAKING NEWS

ସାଧାରଣ ନିର୍ବାଚନ-୨୦୨୪: ପୋଲିସ ମାଜିଷ୍ଟ୍ରେଟ ସ୍ଵମନ୍ନୟ ଏବଂ ବିଭାଗୀୟ ସ୍କ୍ୱାଡ଼୍ ଟିମ୍ ଉପରେ ସମୀକ୍ଷା

ଭବାନୀପାଟଣା: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପୋଲିସ ମାଜିଷ୍ଟ୍ରେଟ ସ୍ୱମନ୍ନୟ ତଥା ବିଭାଗୀୟ ସ୍କ୍ୱାଡ଼୍ ଟିମ୍ ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ତ୍ରିଲୋଚନ ପାତ୍ର, ସି ଡି ଓ , ଜିଲ୍ଲାପରିଷଦ ଦୟାମୟ ପାଢ଼ୀ,ଧର୍ମଗଡ ଉପଜିଲ୍ଲାପାଳ ଧିମନ ଚକମା,ଭବାନୀପାଟଣା ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସଙ୍କ ସମେତ ଏସ ଡି ପି ଓ, ସମସ୍ତ ତହସିଲଦାର, ସମସ୍ତ ଥାନା ଅଧିକାରୀ,ଅବକାରୀ କ୍ଷେତ୍ର ଅଧିକାରୀ, ଜି ଏସ ଟି ଅଧିକାରୀ, ଆୟକର ବିଭାଗ ଅଧିକାରୀ, ଜଙ୍ଗଲ ବିଭାଗ ଅଧିକାରୀ, ସରକାରୀ ଓକିଲ,ଆର୍ ଟି ଓ, ଡି ଆଇ ପି ଆର୍ ଓ,ନିର୍ବାଚନ ସଂଯୁକ୍ତ ଅଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାରେ ନିର୍ବାଚନ ପୂର୍ବରୁ ସି ଆର୍ ପି ସି ୧୦୭ ଏବଂ ୧୧୦ ଧାରା ଅନୁଯାୟୀ ଶାନ୍ତି ଶୃଙ୍ଖଳା ପାଇଁ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ନୋଟିସ ଜାରି ସହ ଅସାମାଜିକ ତତ୍ତ୍ଵ ମାନଙ୍କ ବିରୋଧରେ ଫର୍ଦ୍ଦ ଦାଖଲ, ଚିହ୍ନଟ କରି ପଦକ୍ଷେପ ନେବାକୁ ଉଭୟ ଆଇ ଆଇ ସି ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବେଦନଶୀଳ ବୁଥମାନଙ୍କରେ ୱେବକାଷ୍ଟିଂ ଓ ସୁରକ୍ଷା ଫୋର୍ସ ମୃତୟନ ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଅବାଧ ମଦ, ନିଶାଦ୍ରବ୍ୟ, ଗଞ୍ଜେଇ କାରବାରକୁ ରୋକିବାକୁ ଅଧିକ ଜବତ, ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ,ଜୋରିମାନା ଆଦାୟକୁ ଅଧିକ ତ୍ଵରାନିତ କରିବାକୁ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ବାଚନ ବାତାବରଣକୁ ଅବାଧ ଓ ସ୍ୱଚ୍ଛ ରଖିବା ପାଇଁ ସମସ୍ତ ତହସିଲଦାର ପୋଲିସ ସହ ସମନ୍ନୟ ରଖି ବେଆଇନ ମଦ ବିକ୍ରି କରୁଥିବା ପାନ, କିରାନା ଦୋକାନୀ, ଢ଼ାବା ମାଲିକଙ୍କୁ ଗିରଫ ଓ ଦୋକାନ ସିଲ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ, ଜି ଏସ ଟି, ଆୟକର, ଜଙ୍ଗଲ ବିଭାଗ ର ଟିମ୍ ଦ୍ଵାରା ଧରପଗଡ ଓ ଜୋରିମାନା ଆଦାୟ ଉପରେ ପୁଙ୍ଖାନୁପୁଙ୍ଖ ପଚାରି ସମୀକ୍ଷା କରିଥିଲେ। ହେଲମେଟ ଚେକିଂ, ମଦ ପିଇ ଗାଡ଼ି ଚଳାଇବା, ଅଧିକ ଗତିକୁ ରୋକିବା ଓ ଜୋରିମାନା ଆଦାୟ ପାଇଁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ସମସ୍ତ ଥାନାମାନଙ୍କୁ ନିଜ ଟିମ୍ ସହ ଦିନ ରାତି ସଜାଗ ରହି ଚେକ୍ ପୋଷ୍ଟ ଓ ଅନ୍ୟ ସ୍ଥାନ ମାନଙ୍କରେ ଅବୈଧ କାରବାରକୁ ରୋକିବା ଓ ଦୋଷୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଧରପଗଡ ଟିମ୍ ସଜାଗ ହେଲେ ସ୍ୱଚ୍ଛ ନିର୍ବାଚନ ବାତାବରଣ ସୃଷ୍ଟି ହେବ ଏବଂ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କାର୍ଯ୍ୟ ସମାପନ ହେବ ବୋଲି ଜିଲ୍ଲାପାଳ କହିଥିଲେ।

Comments are closed.