Latest Odisha News

BREAKING NEWS

ଏପରି ମନ୍ଦିର ଯେଉଁଠି ଏକା ସାଙ୍ଗରେ ଜୀବନ ବିତାନ୍ତି ବାଘ ଓ ମଣିଷ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଦ୍ଭୁତ ମନ୍ଦିର ରହିଛି। ଯାହା ସହ ବିଭିନ୍ନ ମାନ୍ୟତା ଓ ଆଶ୍ଚର୍ଯ୍ୟଜନକ କଥା ଜଡିତ ରହିଛି। ଅଦ୍ଭୁତ ଓ ଚମତ୍କାରୀ ମନ୍ଦିର ବିଷୟରେ ଜାଣିବାକୁ ପ୍ରାୟ ସଭିଁଙ୍କ ଉତ୍ସାହ ରହିଥାଏ। ଥାଇଲାଣ୍ଡରେ ରହିଛି ଏଭଳି ଏକ ଅଦ୍ଭୁତ ମନ୍ଦିର, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ଏହି ମନ୍ଦିରରେ ଏକା ସାଙ୍ଗରେ ଜୀବନ ବିତାନ୍ତି ବାଘ ଓ ମଣିଷ । ଆଜ୍ଞା ହଁ ଠିକ୍ ଶୁଣିଲେ ଆପଣ । ବଘକୁ ହିଂସ୍ର ଜନ୍ତୁ ଭାବି ଲୋକେ ତା’ ପାଖ ମାଡିବାକୁ ଡରୁଥିବା ବେଳେ ଏହି ମନ୍ଦିରରେ ଏହାଠି ଚଳପ୍ରଚଳ କରନ୍ତି ବାଘ ଏବଂ ମଣିଷ । ସେଥିପାଇଁ ତ ଏହି ମନ୍ଦିରର ନାଁ ହେଉଛି ବ୍ୟାଘ୍ର ମନ୍ଦିର ।

ବ୍ୟାଘ୍ର ମନ୍ଦିର ବା ଟାଇଗର୍ ଟେମ୍ପଲ୍ ଥାଇଲାଣ୍ଡର କାଞ୍ଚନବୁରି ପ୍ରଦେଶର ସାୟୋକ ଜିଲ୍ଲାରେ ଅବସ୍ଥିତ । ୧୯୯୪ ମସିହାରେ ଏହି ବ୍ୟାଘ୍ର ମନ୍ଦିର ନିର୍ମାଣ ହୋଇଥିଲା । ଏହାକୁ ଥାଇ ଭାଷାରେ ବାଟ ଫା ଲୁଆଙ୍ଗ ଟା ବୁଆ କୁହାଯାଏ । ୧୯୯୯ ମସିହାରେ ସ୍ଥାନୀୟ ଅଧିବାସୀମାନେ ପ୍ରଥମେ ଏକ ବାଘ ଛୁଆକୁ ସେହି ମନ୍ଦିରକୁ ଆଣିଥିଲେ । ବାଘଟି ସେଠାରେ କିଛିଦିନ ରହି ଅନେକ ବାଘ ଶାବକଙ୍କୁ ଜନ୍ମଦେଇଥିଲା । ପରେ ଜଣେ ଶିକାରୀ ଗୁଳିର ଶିକାର ହୋଇଥିଲା । ବାଘର ଦୁଃଖଦ ମୃତ୍ୟୁ ପରେ ସେବେଠାରୁ ଅନ୍ୟ ବାଘମାନଙ୍କୁ ଅନେକ ଆଇନ କାନୁନ ମାଧ୍ୟମରେ ସୁରକ୍ଷା ଦିଆଯାଉଛି । ୨୦୧୪ ଜୁଲାଇ ମସିହା ସୁଦ୍ଧା ମନ୍ଦିରରେ ବାଘ ସଂଖ୍ୟା ୧୩୫ ଥିଲା । ଥାଇଲାଣ୍ଡର ପଶ୍ଚିମ ଭାଗରେ ଏହି ମନ୍ଦିରଟି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହି ମନ୍ଦିରରେ ବାଘଙ୍କ ସହ ଅନ୍ୟ ଜୀବଜନ୍ତୁମାନେ ମଧ୍ୟ ପୋଷା ହୋଇଛନ୍ତି ।

କୁହାଯାଏ ଯେ, ଯେଉଁ ଥାଇ ସନ୍ୟାସୀମାନେ ପୂର୍ବଜନ୍ମରେ ନିଜ କର୍ମକୁ ଠିକ ଭାବେ ତୁଲାଇ ପାରିନଥିଲେ । ସେମାନେ ବାଘ ରୂପରେ ସେହି ମନ୍ଦିରରେ ଜନ୍ମ ନିଅନ୍ତି । ସେଠାରେ ସେମାନେ ଶାକାହାର ଭୋଜନ କରି ମଣିଷଙ୍କ ସହ ବୁଲାବୁଲି କରିଥାନ୍ତି । ବାଘ ଜନ୍ମରେ ସେମାନେ ନିଜ କାର୍ଯ୍ୟ ଠିକ ଭାବେ ନକଲେ ପର ଜନ୍ମରେ ସନ୍ୟାସୀ ଭାବେ ପୁଣି ଜନ୍ମ ନିଅନ୍ତି । ଏହି ବିଶ୍ୱାସ ଆଧାରରେ ଥାଇ ସନ୍ୟାସୀମାନେ ବାଘମାନଙ୍କ ଯତ୍ନ ନିଅନ୍ତି । ମଣିଷ ଏବଂ ବାଘଙ୍କ ସ୍ନେହ ସମ୍ପର୍କ ଦେଖିବା ଲାଗି ପ୍ରତିଦିନ ଦୁର ଦୁରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀ ଏହି ମନ୍ଦିରକୁ ଆକୃଷ୍ଟ ହୁଅନ୍ତି । ଏହି ମନ୍ଦିର ଦିନ ୧୦ ଟାଠାରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଖୋଲା ରୁହେ ।

ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ବାଘଙ୍କର ସେବାଯତ୍ନ ଲାଗି ଖର୍ଚ୍ଚକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି ଯେ, ଯେଉଁମାନେ ମନ୍ଦିର ଆସିବେ ୬୦୦ ଭଟ୍ ବା ୨୨,୬୦୦ ଭାରତୀୟ ମୂଦ୍ରା ପୈଠ କରିବାକୁ ହେବ । ସେମାନଙ୍କୁ ମନ୍ଦିର ପକ୍ଷରୁ ମାଗଣାରେ ବ୍ୟାଙ୍କକ ବୁଲିବାର ସୁଯୋଗ ମିଳିବ । ଗୋଟିଏ ବାଘର ଦୈନିକ ମୁଣ୍ଡପିଛା ଖର୍ଚ୍ଚ ୧୦୦ ଡଲାର ପର୍ଯ୍ୟନ୍ତ ହୋଇଥାଏ । ଥାଇ ସନ୍ୟାସୀ ଏହି ବାଘମାନଙ୍କର ଯତ୍ନ ନିଅନ୍ତି । ସେମାନେ ବାଘକୁ ସଫାସୁତୁରା କରିବା ସହ ଜଙ୍ଗଲକୁ ମଧ୍ୟ ବୁଲାଇ ନିଅନ୍ତି । ବାଘଙ୍କ ମୁକ୍ତ ବିଚରଣ ସମୟରେ ଦର୍ଶନାର୍ଥୀଙ୍କୁ ବୁଲି ଦେଖିବାକୁ ବାରଣ କରାଯାଇଥାଏ । ବାଘଙ୍କ ମଧ୍ୟରେ ବହୁ ସଂଖ୍ୟକ ଇଣ୍ଡୋ ଚାଇନିଜ ଟାଇଗର, ବେଙ୍ଗଲ ଟାଇଗର, ମଲାୟାନ ଟାଇଗର ଭଳି ବହୁ ପ୍ରଜାତିର ହାଇବ୍ରିଡ଼ ବାଘ ଅଛନ୍ତି ।

 

Comments are closed.