Latest Odisha News

ରୋହିତଙ୍କ ପରେ ଟିମ ଇଣ୍ଡିଆର ଅଧିନାୟକ ଦୌଡରେ ପନ୍ତ, ଗିଲ ଆଗରେ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ରୋହିତ ଏବେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ଦଳର ନେତୃତ୍ୱ ନେଉଛନ୍ତି । ରୋହିତଙ୍କ ପରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ କିଏ ହେବ ସେ ନେଇ ବିତର୍କ ଆରମ୍ଭ ହୋଇଯାଇଛି ।

ଅଲଗା ଅଲଗା ଫର୍ମାଟ କିମ୍ବା ସବୁ ଫର୍ମାଟ ପାଇଁ ଗୋଟିଏ ଅଧିନାୟକ ତାହା ସ୍ପଷ୍ଟ ହୋଇ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ ଏବଂ ରିଷଭ ପନ୍ତ ଏହି ଦୌଡରେ ଆଗରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ କ୍ରିକେଟରେ ଅଧିନାୟକ କରାଯିବ ସପକ୍ଷରେ ଅନେକ ମତ ନକାରାତ୍ମ ରହିଛି । ଅପରପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସାଥୀ ଖେଳାଳିଙ୍କ ତାଳମେଳ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ଶୁଭମନ ଗିଲ ଓ ରିଷଭ ପନ୍ତ ଯଦି ତାଙ୍କ ସ୍ୱାଭାବିକ ଖେଳ ପ୍ରଦର୍ଶନ କରନ୍ତି ତେବେ ସେମାନେ ଦୀର୍ଘ ଦିନ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ପନ୍ତଙ୍କୁ ଦଳରେ ଅଧିକାଂଶ ଖେଳାଳି ବ୍ୟକ୍ତିଗତ ଭାବେ ପସନ୍ଦ କରୁଥିବାରୁ ସେ ଏବେ ନଜରରେ ଅଛନ୍ତି କହିଲେ ଭୁଲ ହେବନି ।

ଭାରତର ପୂର୍ବତନ ୱିକେଟକିପର ଦୀନେଶ କାର୍ତିକ ମଧ୍ୟ ପନ୍ତ ଏବଂ ଗିଲଙ୍କ ମଧ୍ୟରୁ ଜଣେ ଭାରତର ଭବିଷ୍ୟତ ଅଧିନାୟକ ହେବା ଯୋଗ୍ୟତା ରଖିଛନ୍ତି ବୋଲି କହିଛନ୍ତି । ଗିଲ ଏବେ ଦୁଲୀପ ଟ୍ରଫିରେ ଇଣ୍ଡିଆ ଏର ନେତୃତ୍ୱ ନେଉଛନ୍ତି । ସେ ଶ୍ରୀଲଙ୍କା ଗସ୍ତରେ ଟି୨୦ ଓ ଦିିନିକିଆ ଦଳର ଉପ ଅଧିନାୟକ ଦାୟିତ୍ୱ ମଧ୍ୟ ସଫଳତାର ସହ ତୁଲାଇଛନ୍ତି । ଗିଲ ଭାରତର ଭବିଷ୍ୟତ ଅଧିନାୟକ ବୋଲି ମଧ୍ୟ କାର୍ତିକ ଏହି ଅବସରରେ କହିଛନ୍ତି ।

Comments are closed.