ନୂଆଦିଲ୍ଲୀ: ଏସିଆ କପ ୨୦୨୫ ସେପ୍ଟମ୍ବର ୯ରୁ ୟୁଏଇରେ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ପର୍ଯ୍ୟନ୍ତ ଏସିଆ କପ ପାଇଁ ଦଳ ଘୋଷଣା କରି ନାହିଁ । କେଉଁ ଖେଳାଳିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶୁଭମନ ଗିଲଙ୍କୁ ଏହି ଦଳରେ ସ୍ଥାନ ମିଳିବ କି ନାହିଁ ? ଟି୨୦ରେ ଶୁଭମନଙ୍କ ସ୍ଥ୍ିତି ଏତେଟା ମଜଭୁତ ନାହିଁ । ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ନିଜ ସ୍ଥାନ ବଜାୟ ରଖିଛନ୍ତି । ଉଭୟ ଆନ୍ତର୍ଜାତୀୟ ଟି୨୦ରେ ଭାରତ ପକ୍ଷରୁ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସଞ୍ଜୁ ତାଙ୍କର ଶେଷ ୧୦ଟି ମ୍ୟାଚରେ ୩ଟି ଶତକ ମାରିଛନ୍ତି । ସଞ୍ଜୁ ଓପନର ଭାବେ ଦଳରେ ସ୍ଥାନ ପାଇବା ନିଶ୍ଚିତ । ତାଙ୍କ ଲାଇନଅପରେ ପରିବର୍ତନ କରିବା ସପକ୍ଷରେ ବୋର୍ଡ ନାହିଁ । ଅଭିଷେକ ଏବଂ ତିଳକ ବର୍ମା ମଧ୍ୟ ଭଲ ଫର୍ମରେ ଅଛନ୍ତି । କେତେକ ରିପୋର୍ଟ ଅନୁସାରେ ଅକ୍ଷର ପଟେଲଙ୍କ ସ୍ଥାନରେ ଗିଲଙ୍କୁ ଯଦି ଦଳର ଉପ ଅଧିନାୟକ ନିଯୁକ୍ତ କରାଯିବ ତେବେ ସେ ଖେଳିପାରିବେ ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଗିଲଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ଗିଲ ବ୍ୟକ୍ତିଗତ ଭଲ ପ୍ରଦର୍ଶନ କରି ୫ଟି ମ୍ୟାଚରେ ୭୫୪ ରନ କରିଥିଲେ । ତେବେ ଟେଷ୍ଟ କ୍ରିକେଟର ପ୍ରଦର୍ଶନକୁ ଟି୨୦ ସହିତ ତୁଳନା କରିବା ଠିକ ହେବନି । ଗିଲ ୨୦୨୫ ଆଇପିଏଲରେ ୧୫ ମ୍ୟାଚରେ ୬୫୦ ରନ କରିଥିଲେ । ଏଥିରେ ୬ଟି ଅର୍ଦ୍ଧଶତକ ସାମିଲ । ଏହା ପୂର୍ବରୁ ଚାମ୍ପିୟନ୍ସ ଟ୍ରଫିରେ ସେ ୫ଟି ମ୍ୟାଚରେ ୧୮୮ ରନ ସଂଗ୍ରହ କରିଥିଲେ । ଗିଲଙ୍କ ଅଭିଜ୍ଞତା ଓ ଉପସ୍ଥିତି ଦଳକୁ ଫାଇଦା ରଖିବା ସମ୍ଭାବନା ରହିଛି । ତେବେ ଅତ୍ୟଧିକ ପରୀକ୍ଷଣ ଟିମ କମ୍ବିନେଶନକୁ ବିଗାଡିଦେବା ଆଶଙ୍କା ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି୨୦ ଟିମ ଭଲ ପ୍ରଦର୍ଶନ ବଜାୟ ରଖିଛି । ଏଥିରେ ବଡ ଧରଣର ପରିବର୍ତନ କରିବାକୁ ବୋର୍ଡ ଚାହିଁବ ନାହିଁ ।
Comments are closed.