ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଶୁଭମନ ଗିଲ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଉଭୟ ବ୍ୟାଟିଂ ଏବଂ ନେତୃତ୍ୱ ନେବାରେ ଦକ୍ଷତା ପ୍ରମାଣିତ କରିଥିଲେ । ଆକର୍ଷଣୀୟ ପ୍ରଦର୍ଶନ ନେଇ ଆଇସିସି ତାଙ୍କୁ ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର ପ୍ରଦାନ କରିଛି । ଗିଲଙ୍କୁ ଏଥିପାଇଁ ଆଉ ୨ଜଣ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା । ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଦକ୍ଷିଣ ଆଫ୍ରିକାର ୱିୟାନ ମୁଲ୍ଡରଙ୍କୁ ପଛରେ ପକାଇ ଗିଲ ଶେଷରେ ବାଜି ମାରିଥିଲେ । ଜୁଲାଇ ମାସରେ ଗିଲ ୯୪.୫୦ ଆଭରେଜରେ ୫୬୭ ରନ ସଂଗ୍ରହ କରିଥିଲେ । ଏଥିରେ ଏକ ଦ୍ୱିଶତକ ଓ ଗୋଟିଏ ଶତକ ମଧ୍ୟ ରହିଥିଲା ।
୪ର୍ଥ ଥର ପାଇଁ ଗିଲ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି । ଏହା ପୂର୍ବରୁ ସେ ଚଳିତ ବର୍ଷ ଫେବୃୟାରୀରେ ଏବଂ ୨୦୨୩ ଜାନୁୟାରୀ ଓ ସେପ୍ଟମ୍ବରରେ ଏହି ପୁରସ୍କାର ପାଇଥିଲେ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ଅନୁପସ୍ଥିତିରେ ଗିଲ ଯୁବ ବାହିନୀର ସଫଳ ନେତୃତ୍ୱ ନେବା ସହ ଚାପର ବଶୀଭୂତ ନ ହୋଇ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଏସିଆ କପ ଟି୨୦ରେ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଭାବେ ଫିଟ ନ ରୁହନ୍ତି ତେବେ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବା ନେଇ ରିପୋର୍ଟମାନ ପ୍ରକାଶ ପାଇଛି ।
Comments are closed.