ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗଙ୍ଗପୁର ଥାନା ଅନ୍ତର୍ଗତ ଏକ ଗାଁରେ ଶନିବାର ପୂର୍ବ ପ୍ରେମିକଙ୍କ ଘର ସମ୍ମୁଖରେ ବିଷ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ମୃତକ ଜଣକ ମୁଜାଗଡା ଗ୍ରାମର ହୋଇଥିବା ବେଳେ ସେ ନିକଟସ୍ଥ ଗଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବାରପୁରରେ ଥିବା ତାଙ୍କ ପୂର୍ବ ପ୍ରେମିକଙ୍କ ଘରକୁ ଯାଇଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ, ନାବାଳିକା ଜଣକ ତାଙ୍କ ପୂର୍ବ ପ୍ରେମିକ ଶ୍ୟାମଘନ ଗୌଡଙ୍କୁ ଭେଟିବା ପାଇଁ କ୍ଷତ୍ରିୟବାରପୁର ଯାଇଥିଲେ। କୌଣସି କଥାକୁ ନେଇ ଆଲୋଚନା ପରେ ଯୁବତୀ ଜଣକ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ଶ୍ୟାମଘନ ତାଙ୍କୁ ତୁରନ୍ତ ନିକଟସ୍ଥ ଗୋବରା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ଝିଅକୁ ବିଷ ପିଇବାକୁ ବାଧ୍ୟ କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଶ୍ୟାମଘନ ତାଙ୍କ ଝିଅକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଘଟଣାସ୍ଥଳରେ ଏକ ପୁଲିସ ଟିମ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।
କିଛି ମାସ ତଳେ ଶ୍ୟାମଘନ ବିବାହ କରିଥିଲେ। ଏହା ପୂର୍ବରୁ ଯୁବତୀ ଓ ଶ୍ୟାମଘନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ଯୁବତୀ ଜଣକ ତାଙ୍କ ପୂର୍ବ ପ୍ରେମିକଙ୍କ ଜାଗାକୁ କାହିଁକି ଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲା ତାହା ଏବେ ଅସ୍ପଷ୍ଟ ରହିଛି।
Comments are closed.