ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ହଠାତ ଆଇପିଏଲ ନିଲାମରୁ ଓହରି ଯାଇଛନ୍ତି । ଆଇପିଏଲ ୨୦୨୬ ମିନି ନିଲାମ ପୂର୍ବରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାପ ଡୁ ପ୍ଳେସି ମଧ୍ୟ ଆଇପିଏଲ ନିଲାମରୁ ଓହରି ଯାଇଥିଲେ । ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆଇପିଏଲରେ ଅନେକ ସ୍ମରଣୀୟ ସିଜନ ମୁଁ କାଟିଛି । ଏଥର ମୁଁ ନିଲାମ ପ୍ରକ୍ରିୟାରେ ସାମିଲ ହେଉନି । ତାଙ୍କ ମେସେଜରୁ ମ୍ୟାକ୍ସୱେଲ ଆଉ ଆଗକୁ ଆଇପିଏଲ ନ ଖେଳି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଭାରତରୁ ମିଳିଥିବା ସ୍ନେହ ଓ ଶ୍ରଦ୍ଧା ମୁଁ କେବେ ହେଲେ ଭୁଲିପାରିବି ନାହିଁ । ଧନ୍ୟବାଦ, ଆଶା କରୁଛି ଖୁବ ଶୀଘ୍ର ପୂନର୍ବାର ଭେଟ ହେବ । ଗତ ସଂସ୍କରଣରେ ସେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳିଥିଲେ । ପଞ୍ଜାବ ତାଙ୍କୁ ୪.୨ କୋଟି ଟଙ୍କାରେ ନେଇଥିଲା । ୨୦୧୨ରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ମ୍ୟାକ୍ସୱେଲ ତାଙ୍କ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୧୪ରେ କିଙ୍ଗସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳି ସେ ବିସ୍ଫୋରକ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଆଇପିଏଲରେ ମ୍ୟାକ୍ସୱେଲ ଓଭରାଲ ମିଶ୍ରିତ ପ୍ରଦର୍ଶନ କରିଥିଲେ । ସେ କଣ ପାଇଁ ହଠାତ ନିଲାମରୁ ଓହରିଲେ ତାହା ସ୍ପଷ୍ଟ ହୋଇନି ।