Latest Odisha News

BREAKING NEWS

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩’ । ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏଥିରେ ସାମିଲ ହୋଇ ଓଡ଼ିଶା, ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ।

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇଛି । ଏହି ପ୍ରଦର୍ଶନୀରେ ରାଜ୍ୟର ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍େସସ୍ (ଆଇଏଲଏସ) ଏବଂ କିଟ୍ ଟିବିଆଇ ଭଳି ଇନକ୍ୟୁବେଟରରେ ରହିଥିବା ଉଦ୍ୟୋଗ । ଏହି ଷ୍ଟାର୍ଟଅପଗୁଡ଼ିକୁ ନେଇ ଖୋଲାଯାଇଥିବା ଓଡ଼ିଶା ପାଭିଲିୟନକୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ଆୟୋଜିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ଆଜି ବିଶେଷ ସଫଳତା ହାସଲ କରିପାରିଛି । ରାଜ୍ୟରେ ଥିବା ବ୍ୟାପକ ଜୈବ ସମ୍ପଦ, ଜଳ ସମ୍ପଦ ଏବଂ ସମୁଦ୍ର ବାୟୋଟେକ୍ନୋଲୋଜିର ପରିସରକୁ ସମୃଦ୍ଧ କରିଛି । ଏହାସହିତ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ପାର୍କ ଆଦି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି । ସେ ଆହୁରି କହିଥିଲେ ଯେ, ଓଡ଼ିଶା ମିଲେଟ୍ସ ମିସନ ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ଆଗାମୀ ଦିନରେ ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ସୋମବାର ଏକ ବିଶେଷ ଅଧିବେଶନ ହୋଇଥିଲା । ଏହି ସମ୍ମିଳନୀରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କହିଥିଲେ ।

ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ଟେକ୍ନୋଲୋଜି ଇନକ୍ୟୁବେଟର ମାଧ୍ୟମରେ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି । ସେହିପରି ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆଠାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବାୟୋଟେକ୍ ପାର୍କ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ସେଠାରୁ ଭାରତ ବାୟୋଟେକ୍ କମ୍ପାନି ଟିକା ଉତ୍ପାଦନ କରିବାକୁ ଯାଉଛି । ଏହାସହିତ ରାଜ୍ୟ ସରକାର ଯେଉଁ ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି, ତାହା ଏ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ।

ସୋମବାର ଓଡ଼ିଶା ପାଭିଲିୟନ ବୁଲି ଦେଖିଥିଲେ ଭାରତୀୟ ବାୟୋଟେକ୍ନାଲୋଜି ଜଗତର ପରିଚିତ ବ୍ୟକ୍ତିତ୍ୱ ତଥା ବାୟୋକନ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମଦାର ସ’ । ସେ ଓଡ଼ିଶାରୁ ଆସିଥିବା ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ଦେଖିବା ସହ ଏହି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ପ୍ରଶଂସା କରିଥିଲେ ।

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ପୂଜା ମିଶ୍ର, ଉପନିର୍ଦ୍ଦେଶକ (ବାୟୋଟେକ୍ନୋଲୋଜି) ଡକ୍ଟର ଶଶିକାନ୍ତ ଦାଶ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ, ବିସିକେଆଇସିର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ପ୍ରମୁଖ ଯୋଗ ଦେଇଛନ୍ତି । ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (ବିସିକେଆଇସି) ଏହି କାର୍ଯ୍ୟକ୍ରମ ଲାଗି ବିଭାଗ ସହିତ ନଲେଜ ପାର୍ଟନ?ର୍ ଭାବେ ଯୋଡ଼ି ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ଅଧ୍ୟାପକ ଓ ଗବେଷକମାନେ ମଧ୍ୟ ଯୋଗ ଦେଇଛନ୍ତି ।

Comments are closed.