Latest Odisha News

BREAKING NEWS

ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ମୃତିରେ ଅରିନ୍ଦମ୍ । ଆଜିକୁ ଠିକ୍ ୧୧ ଦିନ ତଳେ ଯୁବ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କ ଜୀବନର ଦୀପ ନିର୍ବାପିତ ହୋଇଯାଇଥିଲା। ମୁଣ୍ଡୁଳୀରେ ହାତୀ ଅପରେସନରେ ନିଜକୁ ସାମିଲ କରାଇ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ଏହି ସାହସୀ ସାମ୍ବାଦିକ। ତାଙ୍କର ଖବର ପରିବେଷଣର ଶୈଳୀ ଓ ନିର୍ଭୀକ ସାମ୍ବାଦିକତା ସୁବବେଳେ ମନେ ରହିବ ।

ଖବର ଦେବାକୁ ଯାଇ ନିଜେ ଖବର ପାଲଟିଯାଇଥିଲେ ଅରିନ୍ଦମ୍। ଜଣେ ସମ୍ବାଦଦାତା ଜୀବନକୁ ବାଜିଲଗାଇ ଯେକୌଣସି ପରିସ୍ଥିତିରେ ମଧ୍ୟ ଆଗକୁ ଆସି ଖବର ସଂଗ୍ରହ କରିଥାନ୍ତି । ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ରାଜନୈତିକ କାର୍ଯ୍ୟକ୍ରମ , ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ସର୍ବଦା ତତ୍ପର ରହିଥାନ୍ତି ।

ଘଟଣା ହେଉ କିମ୍ବା ଦୁର୍ଘଟଣା ସବୁବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଟିଏ ଖରା, ବର୍ଷାକୁ ଖାତିର ନକରି ଖବର ଉପରେ ହିଁ ନଜର ରଖିଥାଏ । ଅନେକ ବିପଦପୂର୍ଣ୍ଣ ସ୍ଥାନ ସ୍ଥାନରେ ମଧ୍ୟ ଦୁଃସାହସିକତା ଦେଖାଇ ଆଗକୁ ଆସିଥାନ୍ତି ସାମ୍ବାଦିକ । ଆଉ ସେହି ସାମ୍ବାଦିକ ଜଣେ ଥିଲେ ଅରିନ୍ଦମ୍ ଦାସ ।

ଓଡିଶା ଗଣମାଧ୍ୟମ ଜଗତର ଜଣେ ଜଣାଶୁଣା ସାମ୍ବାଦିକ ଅରିନ୍ଦମ୍ । ବିଶେଷ କରି ପ୍ରାକୃତିକ ଦୁର୍ବିପାକ ସମୟରେ ଖବର ସଂଗ୍ରହ ପାଇଁ ସବୁବେଳେ ବ୍ୟଗ୍ର ରହିଥାନ୍ତି ସେ । ଖବର ବିଷୟରେ ଜାଣିବା ଏବଂ ଖବର ପଛରେ ରହିଥିବା ଖବରକୁ ଲୋକଲୋଚନକୁ ଆଣିବାରେ ସବୁବେଳେ ତତ୍ପରତା ଦେଖାଉଥିଲେ ଅରିନ୍ଦମ । କିନ୍ତୁ ସବୁବେଳେ ଖବର ଦେଉଥିବା ଲୋକଟା ଆଜି ନିଜେ ଖବର ପାଲଟିଯାଇଛି ।

ଗାଁ ମାଟିରେ ଶୋକାକୂଳ ପରିବେଶରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ସେହି ବୈତରଣୀ କୂଳରେ ନିଜ ଜନ୍ମ ମାଟିରେ ପଞ୍ଚଭୂତରେ ବିଲୀନ ହୋଇଗଲେ ଅରିନ୍ଦମ୍ । ଗାଁର ସାହସୀ ପୁଅ ସବୁଦିନ ଶୋଇଯିବା ପରେ ସ୍ତବ୍ଧ ହୋଇଯାଇଛି ସାରା ଗାଁ।

ସେ ଆମ ଗହଣରେ ନଥିଲେ ବି ତାଙ୍କ ଉପସ୍ଥିତି ସବୁବେଳେ ଜାହିର କରିବ । ଆଜି ତାଙ୍କ ଏକାଦଶାହରେ ତାଙ୍କୁ ଅଜସ୍ର ଶ୍ରଦ୍ଧାଞ୍ଜଳି .. ।

Leave A Reply

Your email address will not be published.