ଭୁବନେଶ୍ୱର: ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଛିନତାଇ । ରଜ ସପିଂ କରି ଫେରୁଥିବାବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଚେନ୍ ଛିଣ୍ଡାଇବାବେଳେ ତଳେ ପଡ଼ି ମହିଳା ଜଣକ ଆହତ ମଧ୍ୟ ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଆଜି ଅପରାହ୍ନରେ ୟୁନିଟ-୨ ମାର୍କେଟ୍ ବିଲ୍ଡିଂ ପାଖ ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି ଏଭଳି ଘଟଣା ।
ଅଭିଯୋଗ ଅନୁସାରେ ମନସ୍ୱିନୀ ବିଶ୍ୱାଳ ନାମକ ଜଣେ ମହିଳା ତାଙ୍କ ବାନ୍ଧବୀଙ୍କ ସହ ରଜ ସପିଂ ପାଇଁ ଯାଇଥିଲେ । ସପିଂ ସାରି ପୁରୁଣା ବସଷ୍ଟାଣ୍ଡ ନିକଟ ରାସ୍ତା ଦେଇ ଚାଲି ଚାଲି ଏଜି ଛକ ପର୍ଯ୍ୟନ୍ତ ଯାଉଥିବାବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ସମ୍ପୃକ୍ତ ମହିଳାଙ୍କ ବେକରୁ ସୁନା ଚେନଟିକୁ ଝାମ୍ପି ନେଇଥିଲେ । ତାସହ ମନସ୍ୱିନୀଙ୍କୁ ଆକ୍ରମଣ କରିବା ସହ ତାଙ୍କ କାନ୍ଧରୁ ଭ୍ୟାନିଟି ବ୍ୟାଗଟିକୁ ମଧ୍ୟ ନେବାକୁ ଉଦ୍ୟମ କରିଥିଲେ । ମାତ୍ର ମହିଳା ଜଣକ ବ୍ୟାଗଟିକୁ ଜାବୁଡ଼ି ଧରିବା ସହ ସହାୟତା ଲାଗି ଜୋରରେ ପାଟି କରି ଡାକିଥିଲେ । ଏହି ସମୟରେ ମନସ୍ୱିନୀ ଲୁଟେରାଙ୍କ ସହ କିଛିବାଟ ଘୋଷାରି ହୋଇ ଯାଇଥିଲେ । ଲୋକମାନେ ଆସିବା କ୍ଷଣି ବିଜୁଳି ବେଗରେ ଘଟଣା ସ୍ଥଳରୁ ବାଇକରେ ଚମ୍ପଟ ମାରିଥିଲେ ଲୁଟେରା ।
ତେବେ ଲୁଟେରା ଦୁଇଜଣ ହେଲମେଟ୍ କି ମାସ୍କ କିଛି ବି ପିନ୍ଧିନଥିବା ଅଭିଯୋଗ ହୋଇଛି । ତାଛଡ଼ା ପୁରୁଣା ବସଷ୍ଟାଣ୍ଡରୁ ଏଜି ଛକ ପର୍ଯ୍ୟନ୍ତ ରଙ୍ଗ୍ ରୁଟରେ ଗାଡ଼ି ଛୁଟାଇ ଚାଲିଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଅନ୍ୟପଟେ ସିସିଟିଭି ଫୁଟେଜ୍ ଚେକ୍ କରିବା ସହ ଘଟଣାର ତଦନ୍ତ ଜାରି ରଖି ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି କ୍ୟାପିଟାଲ ଥାନାଧିକାରୀ ।
Comments are closed.