Latest Odisha News

BREAKING NEWS

ରାଜଧାନୀରେ ପୁଣି ମାତିଲେ ବାଇକ୍ ଲୁଟେରା, ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଛିନତାଇ  । ରଜ ସପିଂ କରି ଫେରୁଥିବାବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ  । ଚେନ୍ ଛିଣ୍ଡାଇବାବେଳେ ତଳେ ପଡ଼ି ମହିଳା ଜଣକ ଆହତ ମଧ୍ୟ ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି  । ଆଜି ଅପରାହ୍ନରେ ୟୁନିଟ-୨ ମାର୍କେଟ୍ ବିଲ୍ଡିଂ ପାଖ ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି ଏଭଳି ଘଟଣା  ।

ଅଭିଯୋଗ ଅନୁସାରେ ମନସ୍ୱିନୀ ବିଶ୍ୱାଳ ନାମକ ଜଣେ ମହିଳା ତାଙ୍କ ବାନ୍ଧବୀଙ୍କ ସହ ରଜ ସପିଂ ପାଇଁ ଯାଇଥିଲେ  । ସପିଂ ସାରି ପୁରୁଣା ବସଷ୍ଟାଣ୍ଡ ନିକଟ ରାସ୍ତା ଦେଇ ଚାଲି ଚାଲି ଏଜି ଛକ ପର୍ଯ୍ୟନ୍ତ ଯାଉଥିବାବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ସମ୍ପୃକ୍ତ ମହିଳାଙ୍କ ବେକରୁ ସୁନା ଚେନଟିକୁ ଝାମ୍ପି ନେଇଥିଲେ  । ତାସହ ମନସ୍ୱିନୀଙ୍କୁ ଆକ୍ରମଣ କରିବା ସହ ତାଙ୍କ କାନ୍ଧରୁ ଭ୍ୟାନିଟି ବ୍ୟାଗଟିକୁ ମଧ୍ୟ ନେବାକୁ ଉଦ୍ୟମ କରିଥିଲେ  । ମାତ୍ର ମହିଳା ଜଣକ ବ୍ୟାଗଟିକୁ ଜାବୁଡ଼ି ଧରିବା ସହ ସହାୟତା ଲାଗି ଜୋରରେ ପାଟି କରି ଡାକିଥିଲେ  । ଏହି ସମୟରେ ମନସ୍ୱିନୀ ଲୁଟେରାଙ୍କ ସହ କିଛିବାଟ ଘୋଷାରି ହୋଇ ଯାଇଥିଲେ  । ଲୋକମାନେ ଆସିବା କ୍ଷଣି ବିଜୁଳି ବେଗରେ ଘଟଣା ସ୍ଥଳରୁ ବାଇକରେ ଚମ୍ପଟ ମାରିଥିଲେ ଲୁଟେରା  ।

ତେବେ ଲୁଟେରା ଦୁଇଜଣ ହେଲମେଟ୍ କି ମାସ୍କ କିଛି ବି ପିନ୍ଧିନଥିବା ଅଭିଯୋଗ ହୋଇଛି  । ତାଛଡ଼ା ପୁରୁଣା ବସଷ୍ଟାଣ୍ଡରୁ ଏଜି ଛକ ପର୍ଯ୍ୟନ୍ତ ରଙ୍ଗ୍ ରୁଟରେ ଗାଡ଼ି ଛୁଟାଇ ଚାଲିଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ  । ଅନ୍ୟପଟେ ସିସିଟିଭି ଫୁଟେଜ୍ ଚେକ୍ କରିବା ସହ ଘଟଣାର ତଦନ୍ତ ଜାରି ରଖି ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି କ୍ୟାପିଟାଲ ଥାନାଧିକାରୀ  ।

Leave A Reply

Your email address will not be published.