ନୂଆଦିଲ୍ଲୀ: ବେଶ୍ କିଛି ଦିନ ସୁନା ବଜାରରେ ନିଆଁ ଲାଗିଥିବା ବେଳେ ଗ୍ରାହକଙ୍କ ପକେଟକୁ ଭାରି ବାଧୁଥିଲା । ହେଲେ ଏବେ ବିଗତ ଦିନମାନଙ୍କରେ ଆଶ୍ବସ୍ତିକର ସଙ୍କେତ ଦେଉଛି ସୁନା ବଜାର । ଗତ ଦୁଇ ଦିନ ହେବ ଲଗାତାର ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । କୁହାଯାଉଛି, ଖୁବଶୀଘ୍ର ଏହା ୫୫ ହଜାରକୁ ଖସିବ ।
ଗୁଡ୍ ରିଟର୍ଣ୍ଣସ୍ ଅନୁଯାୟୀ, ଦେଶରେ ସୁନା ମୂଲ୍ୟ ହ୍ରାସ ପାଉଛି । ଆମେରିକୀୟ ଶୁଳ୍କ ମାଡର ସମ୍ମୁଖୀନ ହେବା ପରେ, ଆଜି ସେୟାର ବଜାର ତାର ଗତି ପରିବର୍ତ୍ତନ କରିଛି । ଠିକ୍ ସେହି ସମୟରେ, ସୁନା ମୂଲ୍ୟ ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫୦ ଟଙ୍କା ହ୍ରାସ ଘଟିବା ସହିତ ୮୯,୭୩୦ ଟଙ୍କାରେ ପହଞ୍ଚିଛି । ଗତକାଲି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୦,୩୮୦ ଟଙ୍କା ରହିଥିଲା । ସେହିପରି ୨୨ କ୍ୟାରେଟ ସୁନା ଆଜି ୧୦ ଗ୍ରାମ ପିଛା ୮୯, ୭୩୦ ଟଙ୍କାରେ କାରବାର କରୁଛି ।
ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ମୂଲ୍ୟ ୬୫୦ ଟଙ୍କା ହ୍ରାସ ପାଇ ୮୯,୮୮୦ ଟଙ୍କାରେ ପହଞ୍ଚିଛି । ସେହିପରି, ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫୦ ଟଙ୍କା ହ୍ରାସ ସହିତ ୮୯,୭୩୦ ଟଙ୍କାରେ କାରବାର କରୁଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ଘଟି ୮୨,୮୫୦ ଟଙ୍କାରୁ ୮୨,୨୫୦ ଟଙ୍କା ରହିଛି । ତେବେ ଗତ ୫ ଦିନରେ ୨୨ କ୍ୟାରେଟ୍ର ସୁନା ଦାମ କମିଲାଣି ୩,୩୫୦ ଟଙ୍କା ।
ସେପଟେ ଖୁବଶୀଘ୍ର ସୁନା ମୂଲ୍ୟରେ ବଡ ଧରଣର ହ୍ରାସ ଘଟିବ । ସିଧା ୪୦ ହଜାର ଖସିବ ଦର । ଆମେରିକୀୟ ଗବେଷଣା ଫାର୍ମ ମର୍ଣ୍ଣିଂ ଷ୍ଟାରର ସୁନା ବଜାର ବିଶେଷଜ୍ଞ ଜନ୍ ମିଲ୍ସଙ୍କ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମାସମାନଙ୍କରେ ସୁନା ମୂଲ୍ୟ ଅଧା ହ୍ରାସ ପାଇବ । ମିଲ୍ସଙ୍କ କହିବାନୁଯାୟୀ, ଆସନ୍ତା ମାସରେ ସୁନାର ମୂଲ୍ୟ ଆଉନ୍ସ ପ୍ରତି ୧୮୨୦ ଡଲାରରେ ପହଞ୍ଚିବ । ଯାହା ବର୍ତ୍ତମାନ ଅନୁଯାୟୀ, ୩୮ ରୁ ୪୦ ପ୍ରତିଶତ ହ୍ରାସ ଘଟିବ । ଆଉ ସୁନା ୫୦ ରୁ ୫୫ ହଜାର ଟଙ୍କାରେ ଉପଲବ୍ଧ ହେବ । ଯାହାର ଲକ୍ଷଣ ଏବେ ଠାରୁ ସୁନା ମୂଲ୍ୟରେ ହ୍ରାସ ହେବାରୁ ଅନୁମାନ କରାଯାଉଛି ।
Comments are closed.