କଟକ: ଚିଟ୍ ଫଣ୍ଡ କମ୍ପାନୀ ଜିଏଲପି (GLP) ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ଼ରେ ଟଙ୍କା ଜମା ରଖିଥିବା ଜମାକାରୀଙ୍କ ପାଇଁ ଖୁସି ଖବର। ଏହି ଦୁଇଟି କମ୍ପାନୀରେ ଟଙ୍କା ଜମା ରଖିଥିବା କ୍ଷୁଦ୍ର ଜମାକାରୀଙ୍କୁ ଦୁଇ ମାସ ମଧ୍ୟରେ ୮ ହଜାର ଟଙ୍କା ଲେଖାଏଁ ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ୮ ହଜାର ଟଙ୍କା କିମ୍ବା ଏହି ରାଶିରୁ କମ୍ କ୍ଷୁଦ୍ର ଜମାକାରୀଙ୍କୁ ଏହି ରାଶି ୨ ମାସ ଭିତରେ ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ଏଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଜିଏଲପି ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲୋମିଟେଡ଼ କମ୍ପାନୀ ପକ୍ଷରୁ ରୁଜୁ କରାଯାଇଥିବା ମାମଲାର ପରିଚାଳନା କରିଥିଲେ ସିନିଅର ଆଡଭୋକେଟ ମିଳନ କାନୁନଗୋ। କୋର୍ଟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀ ପକ୍ଷରୁ ଦର୍ଶାଯାଇଥିଲା ଯେ, କମ୍ପାନୀର ମୋଟ ୮ ଲକ୍ଷ ଜମାକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ 6 ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ୧୫ ହଜାର କ୍ଷୁଦ୍ର ଜମାକାରୀଙ୍କୁ ୧୦ ହଜାର କିମ୍ବା ଏହି ରାଶିରୁ କମ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି ଆବେଦନକାରୀ। ସେହିପରି କମ୍ପାନୀର ଯେଉଁ ଟଙ୍କା ଜବତ କରାଯାଇଛି ସେ ସବୁକୁ କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯାଉ ବୋଲି କୋର୍ଟଙ୍କ ନିକଟରେ କମ୍ପାନୀ ପକ୍ଷରୁ ପାର୍ଥନା କରାଯାଇଥିଲା।
ଏହି କ୍ରମରେ ୮ ହଜାର କିମ୍ବା ଏହି ରାଶିରୁ କମ କ୍ଷତିଗ୍ରସ୍ତଙ୍କୁ ଜବତ ଟଙ୍କା ଫେରସ୍ତ କରାଯାଇପାରିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଆବେଦନକାରୀ। ତେବେ ଅବଶିଷ୍ଟ ଟଙ୍କାକୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫେରସ୍ତ କରାଯିବ ବୋଲି କୋର୍ଟଙ୍କୁ ଆବେଦନକାରୀ ଅବଗତ କରାଇଥିଲେ। ଜବତ ଟଙ୍କା ଶେଷ ହେବା ପରେ ଅବଶିଷ୍ଟ ରାଶି ସମ୍ପତ୍ତି ନିଲାମ କରି ଫେରସ୍ତ କରିବାକୁ କୋର୍ଟଙ୍କ ନିକଟରେ ପାର୍ଥନା କରିଛନ୍ତି ଆବେଦନକାରୀ। ଜଷ୍ଟିସ ବିଶ୍ଵନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଶୁଣାଣିର ଅନ୍ତ ଘଟାଇଛନ୍ତି କୋର୍ଟ। ରାଜ୍ୟ ସରକାର ଅର୍ଥ ବିଭାଗର ପଦକ୍ଷେପ ଓ ଉଚ୍ଚନ୍ୟାଳୟଙ୍କ ନିର୍ଦ୍ଦେଶ ହୋଇଥିବାରୁ ଏନେଇ ଆବେଦନକାରୀ ପକ୍ଷରୁ ରାଜ୍ୟସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
Comments are closed.