ନୂଆଦିଲ୍ଲୀ : ଗୁଗୁଲ୍ ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଫିଚର ‘ଇମରଜେନ୍ସି ଲାଇଭ୍ ଭିଡିଓ’ ଲଞ୍ଚ କରିଦେଇଛି। ଆଇଫୋନ୍ରେ ଏହି ଫିଚର ପୂର୍ବରୁ ଉପଲବ୍ଧ ଥିବା ବେଳେ ଏବେ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀ ମଧ୍ୟ ବିପଦ ସମୟରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କରି ନିଜର ଅବସ୍ଥା ରେସ୍କ୍ୟୁ ଟିମ୍କୁ ଦେଖାଇପାରିବେ। ସଡ଼କ ଦୁର୍ଘଟଣା, ନିଆଁ ଲାଗିବା କିମ୍ବା ମେଡିକାଲ୍ ଏମରଜେନ୍ସି ଭଳି ପରିସ୍ଥିତିରେ ଏହି ଫିଚର ଜୀବନ ବଞ୍ଚାଇବାରେ ବଡ଼ ଭୂମିକା ନେଇପାରିବ।
ଯେତେବେଳେ କୌଣସି ବ୍ୟବହାରକାରୀ ଏମରଜେନ୍ସି କଲ୍ କିମ୍ବା ମେସେଜ୍ କରିବେ, ସେତେବେଳେ ରେସ୍କ୍ୟୁ ଟିମ୍ (ରେସ୍ପଣ୍ଡର) ତରଫରୁ ଭିଡିଓ ଷ୍ଟ୍ରିମିଂ ରିକ୍ୱେଷ୍ଟ ଆସିବ। କେବଳ ଗୋଟିଏ ଟ୍ୟାପ୍ କଲେ ବ୍ୟବହାରକାରୀ ଲାଇଭ୍ ଭିଡିଓ ଷ୍ଟାର୍ଟ କରିପାରିବେ। ଏହାଦ୍ୱାରା ରେସ୍କ୍ୟୁ ଟିମ୍ ସିଧାସଳଖ ଦେଖିପାରିବେ ଯେ ବ୍ୟକ୍ତିଙ୍କୁ କିଭଳି ବିପଦରେ ଅଛନ୍ତି ଏବଂ କେଉଁ ପ୍ରକାର ସାହାଯ୍ୟ ଦରକାର। ଗୁଗୁଲ୍ କହିଛି ଯେ, ଭିଜୁଆଲ୍ ଫୁଟେଜ୍ ମଧ୍ୟ ଦ୍ରୁତ ଓ ସଠିକ୍ ସାହାଯ୍ୟ ପହଞ୍ଚାଇବାରେ ଅତ୍ୟନ୍ତ ସହାୟକ ହେବ।
ଆଣ୍ଡ୍ରୋଏଡ୍ ୮ ଏବଂ ତା’ପରେ ଆସିଥିବା ସବୁ ଭର୍ସନ୍ରେ ଏହି ଫିଚର କାମ କରିବ। ପ୍ରଥମେ ଏହାକୁ ଆମେରିକା, ଜର୍ମାନୀ ଓ ମେକ୍ସିକୋର କିଛି ଅଞ୍ଚଳରେ ଲଞ୍ଚ କରାଯାଉଛି। ଶୀଘ୍ର ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହା ଉପଲବ୍ଧ ହେବ। ପିକ୍ସେଲ୍ ଫୋନ୍ରେ ପୂର୍ବରୁ ଥିବା ଫିଚର ସହ ପାର୍ଥକ୍ୟ ଗୁଗୁଲ୍ ପିକ୍ସେଲ୍ ଫୋନ୍ରେ ପୂର୍ବରୁ ଏକ ଏମରଜେନ୍ସି ଭିଡିଓ ରେକର୍ଡିଂ ଫିଚର ରହିଛି, ଯାହା ୪୫ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରି ଲିଙ୍କ୍ ଏମରଜେନ୍ସି କଣ୍ଟାକ୍ଟକୁ ପଠାଇଦିଏ। କିନ୍ତୁ ନୂଆ ଫିଚର ସହିତ ଏବେ ସିଧା ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ସମ୍ଭବ ହେବ।