Latest Odisha News

BREAKING NEWS

ଗୁଗୁଲ୍ ମ୍ୟାପ୍ ଅନୁସରଣ କରି ପୋଖରୀରେ ପଶିଗଲା ଲରି

ତେଲେଙ୍ଗାନା : ଆଜିକାଲି ଅଧିକାଂଶ ଲୋକ ଗୁଗୁଲ ମ୍ୟାପ୍ ଉପରେ ନିର୍ଭର କରୁଛନ୍ତି । କାରଣ ଏବେ ଗୁଗୁଲ୍ ମ୍ୟାପ୍ ସହର ଠାରୁ ଗାଁ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନ ଖୋଜିବାରେ ବହୁତ ସାହାଯ୍ୟ କରୁଛି । ତଥାପି, ବେଳେବେଳେ ଗୁଗୁଲ୍ ମ୍ୟାପ ଉପରେ ନିର୍ଭର କରିବା ମଧ୍ୟ ଭୁଲ ପ୍ରମାଣିତ ହୋଇଥାଏ । ଏବେ ତେଲେଙ୍ଗାନାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ମାଲବୋଝେଇ ଲରି୍ ଡ୍ରାଇଭର ଗୁଗୁଲ୍ ମ୍ୟାପ୍ ଅନୁସରଣ କରୁଥିବାବେଳେ ଏକ ପୋଖରୀରେ ପଶିଯାଇଛି । ଆଉ ଲରିକୁ ପୋଖରୀରୁ ବାହାରକୁ ଆଣିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଛି ।

ତେଲେଙ୍ଗାନାର ସିଦ୍ଧଦୀପ ଜିଲ୍ଲାର ଆକ୍କାନାପେଟ ଅଞ୍ଚଳରେ ଘଟିଛି ଏହି ଘଟଣା । ତାମିଲନାଡୁର ଏହି ଲରି ବିଳମ୍ବିତ ରାତିରେ ଚେରିୟାଲ ଦେଇ ହୁସନାବାଦ ଅଭିମୁଖେ ଯାଉଥିଲା । ଯେହେତୁ ଡ୍ରାଇଭର ଶିବ ଏବଂ ହେଲପର୍ ମୋଣ୍ଡିଆ କେଉଁ ମାର୍ଗକୁ ଯିବାକୁ ପଡିବ ତାହା ଜାଣି ନ ଥିଲେ । ତେଣୁ ସେମାନେ ସ୍ମାର୍ଟ ଫୋନରେ ଗୁଗୁଲ୍ ମ୍ୟାପ୍ ସହାୟତା ନେଇଥିଲେ । ସେହି ଅନୁସାରେ ଆଗକୁ ବଢୁଥିଲେ । ମ୍ୟାପ ଦେଖି ଯାଉଥିବା ସମୟରେ ଆଗରେ ବର୍ଷା ହେତୁ ରାସ୍ତାରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ଏହା ନିୟମିତ ଘଟଣା ଭାବି ଉଭୟ ଡ଼୍ରାଇଭର ଓ ହେଲପର ଲରିକୁ ନେଇ ଆଗକୁ ବଢିଥିଲେ । କିନ୍ତୁ ଗୁଗୁଲ ମ୍ୟାପ୍ ଦେଖି ଆଗକୁ ଯିବାବେଳେ ପାଣି ଲରର କ୍ୟାବିନରେ ପହଞ୍ଚିଥିଲା । ଏମିତି କି ଲରିର ଇଞ୍ଜିନ୍‌ରେ ପାଣି ପଶିଯିବାରୁ ଗାଡ଼ି ବନ୍ଦ ହୋଇଗଲା । ଉଭୟ ଡ୍ରାଇଭର ଏବଂ ହେଲପର ଗାଡ଼ିରୁ ଓହ୍ଲାଇ ଦେଖିବାକୁ ବେଳକୁ ତାହା କୌଣସି ରାସ୍ତା ନ ଥିଲା ବରଂ ଗୋଟେ ପୋଖରୀ ଥିବା ଜାଣିବାକୁ ପାଇଥିଲେ । ପରେ ନିକଟସ୍ଥ ରାମଭାରାମ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀଙ୍କ ସହଯୋଗରେ ବହୁତ କଷ୍ଟରେ ଲରିଟିକୁ ପୋଖରୀରୁ ବାହାର କରାଯାଇଥିଲା ।

ଟ୍ରକ୍ ଡ଼୍ରାଇଭର ଶିବ କହିଛନ୍ତି ଯେ, ମୋତେ ବାଟ ଠିକ୍ ଭାବେ ଜଣା ନ ଥିବାରୁ ଗୁଗୁଲ ମ୍ୟାପ୍ ଅନୁସରଣ କରି ଗାଡ଼ି ଚଲାଉଥିଲି । ଗୁଗୁଲ୍ ମ୍ୟାପ୍ ଆଗକୁ ସିଧା ରାସ୍ତା ଥିବା ଦର୍ଶାଇଥିଲା । ମୁଁ ସେହି ଅନୁସାରେ ଆଗକୁ ଯାଉଥିଲି । ଯେତେବେଳେ ରାସ୍ତାରେ ପାଣି ଦେଖିଲି, ଭାବିଲି ବର୍ଷା ପାଣି ଜମି ରହିଛି । ଆଗକୁ ନେବାରୁ ଆମ ଲରି ଅଧା ବୁଡ଼ିଗଲା । ତଥାପି ମୁଁ ଆଗକୁ ଯାଉଥାଏ । ହେଲେ ଇଞ୍ଜିନ୍‌ରେ ପାଣି ପଶଯିବାରୁ ଗାଡ଼ି ବନ୍ଦ ହୋଇଯାଇଥିଲା । ଭଗବାନ ଆମକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଲେ ବୋଲି ସେ କହିଛନ୍ତି ।

Comments are closed.