Latest Odisha News

BREAKING NEWS

ନବଙ୍କ ମୃତ୍ୟୁ ଖବର ଜାଣିବା ପାଇଁ ଉତ୍ସୁକ ଥିଲେ ଗୋପାଳ, ସୁରକ୍ଷା କର୍ମୀଙ୍କୁ ପଚାରି ବୁଝିଥିଲେ

ଭୁବନେଶ୍ୱର: ଅନେକ ଦିନରୁ ନବ ଦାସଙ୍କୁ ହତ୍ୟା କରିବା ପାଇଁ ବୋଧହୁଏ ସୁଯାେଗ ଖୋଜୁଥିଲେ  ଅଭିଯୁକ୍ତ ଗୋପାଳ ଦାସ  ।  ସେଥିପାଇଁ ନବଙ୍କ ପାଖେ ପାଖେ ଘୁରି ବୁଲୁଥିଲେ । ନବ ଦାସ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ସେଠରେ ତାଙ୍କର ପାଖେ ପାଖେ ଦେଖିବାକୁ ମିଳୁଥିବା ଗୋପାଳଙ୍କୁ ।  ତା’ ପୁଣି ବର୍ଦ୍ଦିରେ । ଏ ଅଭିଯାନ  ୨ ମାସ ତଳୁ ଆରମ୍ଭ କରିଥିଲେ ଗୋପାଳ ଦାସ । ବୋଧହୁଏ ସଫଳ ହୋଇ ପାରି ନ ଥିଲେ । ୨୯ ତାରିଖ ଦିନ ନବ ଦାସଙ୍କ କାର୍ଯ୍ୟକ୍ରମକୁ ବି ଆସିଥିଲେ ଗୋପାଳ । ପାଖେ ପାଖେ ନ ଥିଲେ । କିନ୍ତୁ ପାଖକୁ ଯିବାକୁ ଯେମିତି ଚେଷ୍ଟା କରୁଥିଲେ । ଏକଦମ ପାଖକୁ ଆସିବା ପରେ ବୋଧହୁଏ ସୁଯୋଗ ପାଇଥିଲେ ଆଉ ଏହାର ଉପଯୋଗ କରିଥିଲେ ।  ଏକଥା ଆମେ କହୁନୁ, ସିସିଟିଭି ଫୁଟେଜ ଏବଂ ଭାଇରାଲ ହେଉଥିବା ପୁରୁଣା ଫଟୋକୁ ଦେଖିଲେ ଏମିତି କିଛି ସନ୍ଦେହ ମନକୁ ଆସୁଛି ।

ଏବେ ଗଣମାଧ୍ୟମ ହାତରେ ଲାଗିଛି ଗାେପାଳଙ୍କର ଏକ ପୁରୁଣା ଫଟୋ  । ଏହା କେବେର ଜଣା ପଡି ନ ଥିଲେ ହେଁ ୨ ମାସ ତଳର ବୋଲି କୁହାଯାଉଛି । ୨ ମାସ ତଳେ ମନ୍ତ୍ରୀ ବ୍ରଜରାଜନଗର ଆସିଥିଲେ । ଗାନ୍ଧୀନଗର ଛକରେ ସିସିଟିଭି ଲାଗିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଥିଲେ । ସେତେବେଳେ ନବ ଦାସଙ୍କ ଠିକ ଡାହାଣ ପାଖରେ ଗୋପାଳଙ୍କୁ ଦେଖିବାକୁ ମିଳୁଥିଲା । ତେବେ ଏଠାରେ ତାଙ୍କର ଡ୍ୟୁଟି ଦିଆ ଯାଇଥିଲା ନା ହତ୍ୟା ପାଇଁ ସୁଯୋଗ ଖୋଜିବାକୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

୨ ମାସ ତଳେ ଏକ କାର୍ଯ୍ୟକ୍ରମରେ ନବ ଦାସଙ୍କ ସହ ଅଭିଯୁକ୍ତ ଗୋପାଳ (ଫାଇଲ ଫଟୋ)

 

ମନ୍ତ୍ରୀଙ୍କୁ ଗୁଳି କରିବା ପରେ ସୁନ୍ଦରଗଡ ପୋଲିସ ଗୋପାଳଙ୍କୁ କାବୁ କରି ରିଜର୍ଭ ଲାଇନରେ ରଖିଥିଲା ।  ହେଲେ ଗୋପାଳଙ୍କ ମୁହଁରେ ଅନୁତାପର ଚିହ୍ନ ନ ଥିବା କହିଛନ୍ତି ତାଙ୍କ ପାଖରେ ଥିବା କିଛି ପୋଲିସ କର୍ମଚାରୀ । ସେଠାରେ ପହଞ୍ଚିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଜାଣି ନ ଥିଲେ ନବ ଦାସଙ୍କର ମୃତ୍ୟୁ ଘଟିଛି କି ନାହିଁ । କିନ୍ତୁ ଜାଣିବାକୁ ବେଶ ଉତ୍ସୁକ ଥିଲେ । ହେଲେ କଡା ସୁରକ୍ଷା ଭିତରେ ଥିବାରୁ ତାଙ୍କ ପାଖରେ ଟିଭି ବା  ମୋବାଇଲ ନ ଥିଲା । ତେଣୁ  ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ଏ ନେଇ  ପ୍ରଶ୍ନ ପଚାରିଥିଲେ ।

ଯେତେବେଳେ ଜାଣିଲେ, ନବ ଦାସଙ୍କର ମୃତ୍ୟୁ ଘଟିଛି ବୋଲି ସେ କୁଆଡେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ,  ତାଙ୍କ ମୁହଁରୁ କୁଆଡେ ବାହାରି ପଡିଥିଲା-‘ ଗୋଟିଏ ଗୁଳିରେ ମୃତ୍ୟୁ ହୋଇଗଲା ?’ ତେଣୁ  ସେ ଜାଣିଥିଲେ ନବ ଦାସଙ୍କ ଦେହରେ ଗୋଟିଏ ଗୁଳି ବାଜିଛି  । ତେଣୁ ତାଙ୍କ ମୃତ୍ୟୁକୁ ନେଇ ସେ ନିଶ୍ଚିତ ନ ଥିଲେ । ତେଣୁ ସେ ଖବର ଶୁଣିବାକୁ ଅପେକ୍ଷା କରିଥିଲେ ।

ଯଦି ଏହା ସତ ହଏ ତେବେ ପୁଣି ସେଇ ଗୋଟିଏ ପ୍ରଶ୍ନ ମନକୁ ଆସେ । ଯଦି ଗୋପାଳ ମାରିଛନ୍ତି ତେବେ କାହିଁକି ମାରିଲେ ? ଯଦି ସେ ମାନସିକ ଅବସାଦଗ୍ରସ୍ତ ତେବେ ଏମିତି ପ୍ରଶ୍ନ  ଏକ ଅବସାଦଗ୍ରସ୍ତ  ମସ୍ତିଷ୍କର ହୋଇ ନ ପାରେ  । ତେଣୁ ନବଦାସଙ୍କ ମୃତ୍ୟ ରହସ୍ୟ ଯେତେ ଖୋଲୁଛି, ସନ୍ଦେହ ସେତେ ବଢୁଛି ।

Leave A Reply

Your email address will not be published.