Latest Odisha News

ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ: ସପା ଓ ଆର୍‌ଜେଡି ବିରୋଧରେ ଫେରାଦ ହେବ ଭିଏଚ୍‌ପି

ନୂଆଦିଲ୍ଲୀ: ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ ନେଇ ସମାଜବାଦୀ ପାର୍ଟି ଓ ଆର୍‌ଜେଡି ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)।

ଏହି ଦୁଇ ଦଳର ମାନ୍ୟତା ରଦ୍ଦ କରିବା ଦାବି କରି ଭିଏଚ୍‌ପି ଇସିଙ୍କୁ ଭେଟି ଅଭିଯୋଗ ଜଣାଇବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପାଖକୁ ଚିଠି ଲେଖି ସମୟ ମାଗିଛି ସଂଗଠନ। ଏନେଇ ଭିଏଚ୍‌ପିର କେନ୍ଦ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ସୂଚନା ଦେଇଛନ୍ତି।

ଏହି ଦୁଇ ଦଳ ଦେଶର ଲୋକ ପ୍ରତିନିଧିତ୍ୱ ପାଇଁ ଥିବା ନିୟମରେ ଉଲ୍ଲଂଘନ କରିଛନ୍ତି। ରିପ୍ରେଜେଣ୍ଟେସନ ଅଫ୍‌ ପିପୁଲ ଆକ୍ଟ ୧୯୫୧ର ଧାରା ୨୯ଏ ପାଳନ କରି ନାହାନ୍ତି। ଏହି ନିୟମ ଅନୁସାରେ ଥିବା ପ୍ରତ୍ୟେକ ଦଳ ପନ୍ଥ ନିରପେକ୍ଷତା ଓ ଗଣତାନ୍ତ୍ରିକ ସିଦ୍ଧାନ୍ତକୁ ନିଷ୍ଠାର ସହ ପାଳନ କରିବା ଉଚିତ୍। ହେଲେ ଏହି ଦୁଇ ଦଳ ତାହା କରି ନାହାନ୍ତି।

ସପା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କର ରାମଚରିତମାନସ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା ଓ ପରେ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏହାକୁ ଜଳାଇବା ଦେଶର ବହୁ ସଂଖ୍ୟକ ସମାଜର ଧାର୍ମିକ ଭାବନକୁ ଆଘାତ ଦେଇଛି। ଜାଣିଶୁଣି ଅତି ଘୃଣିତ ଉପାୟରେ ଏହାକୁ ବହୁ ସଂଖ୍ୟକ ସମାଜର ଭାବନାକୁ ଉସ୍‌କାଇଛି। ହେଲେ ଆଶ୍ଚର୍ଯ୍ୟର କଥା ହେଲା ଏତେସବୁ ପରେ ବି ସପା ମୌର୍ଯ୍ୟଙ୍କୁ ଦଳରେ ପଦୋନ୍ନତି ଦେଇଛି।  ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ କାମକୁ ଦଳର ପୂରା ସମର୍ଥନ ରହିଛି ବୋଲି ଭିଏଚ୍‌ପି ଅଭିଯୋଗ କରିଛି।

ସେହିପରି ବିହାର ଶିକ୍ଷାମନ୍ତ୍ରୀ ତଥା ଆର୍‌ଜେଡି ଦଳର ନେତା ଚନ୍ଦ୍ରଶେଖର ମଧ୍ୟ ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ ଦେବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। କିନ୍ତୁ ଆର୍‌ଜେଡି ଚନ୍ଦ୍ରଶେଖରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ତେଣୁ ଆର୍‌ଜେଡି ବି ନେତାଙ୍କ ସମର୍ଥନରେ ଥିବା ଜଣାପଡ଼ୁଛି। ଏମାନେ ହିନ୍ଦୁ ଧର୍ମକୁ ଦୂଷିତ କରିବା, ଲୋକଙ୍କ ମନରେ ଅବିଶ୍ୱାସ ଓ ଭେଦଭାବ ଜନ୍ମାଇବା ଉଦ୍ଦେଶ୍ୟରେ ଏପରି କରିଛନ୍ତି ବୋଲି ଭିଏଚ୍‌ପି କହିଛି।

ଯେଉଁ ସାମ୍ବିଧାନିକ ନିୟମ ଅନୁସାରେ ଏହି ଦୁଇ ଦଳ ନିର୍ବାଚନ ଲଢ଼ିବାକୁ ମାନ୍ୟତା ପାଇଥିଲେ ସେମାନେ ଏହାର ଉଲ୍ଲଂଘନ କରିଛନ୍ତି। ତେଣୁ ସେମାନଙ୍କ ମାନ୍ୟତା ରଦ୍ଦ କରାଯାଉ ବୋଲି ଭିଏଚ୍‌ପି ନିର୍ବାଚନ କମିଶନଙ୍କୁ ଭେଟି ଦାବି ଜଣାଇବ ବୋଲି ସଂଗଠନର କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି।

Leave A Reply

Your email address will not be published.