ପୁରୀ; ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ । ଏହି ଦ୍ଵାଦଶୀ ତିଥିଟି ବ୍ୟଞ୍ଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ଜଣା । ବ୍ୟଞ୍ଜନ ଦ୍ୱାଦଶୀରେ ଅନୁଷ୍ଠିତ ସମସ୍ତ ଧର୍ମକର୍ମର ନିଶ୍ଚିତଫଳ ମିଳେବୋଲି ଲୋକ ବିଶ୍ୱାସ ରହିଛି । ବିଶେଷ କରି ବ୍ୟଞ୍ଜନ ଦ୍ୱାଦଶୀ ତିଥି ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଅନୁଗାମୀ ମାନଙ୍କର ଏକ ପ୍ରମୁଖପର୍ବ । ଆଜିର ଦିନଟି ଭଗବାନ କୃଷ୍ଣଙ୍କ ପାଇଁ ସମର୍ପିତ । କାହିଁ କେଉଁ କାଳରୁ ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି। ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆଜି ବି ପାଳନ କରାଯାଏ ଏହି ବ୍ୟଞ୍ଜନ ଦ୍ୱାଦଶୀ l
ପୁରାଣ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଗୋଚାରଣ କରିବା ସମୟରେ କ୍ଷୁଧା ଅନୁଭବ କରିଥିଲେ। ଏହି ସମୟରେ ପାଖରେ ଉପସ୍ଥିତ ଥିବା ଶ୍ରୀମତୀ ରାଧାରାଣୀ ନିଜର ଦିବ୍ୟଶକ୍ତି ବଳରେ ଶ୍ରୀବ୍ରଜେନ୍ଦ୍ର ନନ୍ଦନଙ୍କୁ ନାନାଦି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତକରି ପ୍ରଭୁଙ୍କୁ ଭୁଞ୍ଜଇଥିଲେ। ସେ ବ୍ୟଞ୍ଜନର ସ୍ୱାଦ ଏପରି ଥିଲା ଯେ ପ୍ରଭୁଙ୍କ ବାତ୍ସଲ୍ୟ ଭାବ ଅନୁଭବ ହୋଇଥିଲା। ଏହିଦିନ ପ୍ରଥମ କରି ଶ୍ରୀମତୀ ରାଧାରାଣୀଙ୍କ ହସ୍ତରୁ ପ୍ରଭୁ ଦିବ୍ୟ ପ୍ରସାଦ ଗ୍ରହଣ କରିଥିଲେ। ବୈଷ୍ଣବୀୟ ଧାରାରେ ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପ୍ରସ୍ତୁତ ବହୁବିଧ ଖାଦ୍ୟ ଗ୍ରହଣକରି ଶ୍ରୀମତୀ ରାଧାରାଣୀ ଓ ଯଶୋଦା ମାଆଙ୍କ ଉପସ୍ଥିତିର ଭାବାବେଶ ଅନୁଭବ ହୋଇଥିଲା। ଏହି ସମସ୍ତ ଘଟଣା ଦୈଵ ଯୋଗେ ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସଂଗଠିତ ହୋଇଥିଲା। ତେଣୁ ଆଜିର ତିଥିକୁ ବିଶେଷକର ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ୱାଦଶୀ ନାମରେ ପାଳନ କରିଥାନ୍ତି ।
ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସମେତ ଶ୍ରୀଧାମ ବୃନ୍ଦାବନ, ନବଦ୍ବୀପ ର ସମସ୍ତ ମଠ ମନ୍ଦିରରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପ୍ରସାଦ ପ୍ରସ୍ତୁତ କରି ଭୋଗ କରାଯାଇଥାଏ । ଆଜି ଶ୍ରୀମନ୍ଦିର ରେ ଶ୍ରୀଜୀଉ ଙ୍କ ପାଖରେ ପାଖାପାଖି ୫୦୦ରୁ ଅଧିକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ନିବେଦନ କରାଯାଏ । ତେବେ ପ୍ରତି ବର୍ଷ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିବା ବେଳେ ଗତବର୍ଷ ଏହା ରେକର୍ଡ କରିଥିଲା l ୮୫୧ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଭଗବାନଙ୍କ ପାଖରେ ପ୍ରସାଦ ଲାଗି ହୋଇଥିଲା l ଋତୁ ଅନୁସାରେ ଶୀତ ଋତୁରେ ପାଚନ କ୍ରିୟା ଅଧିକ ସକ୍ରିୟ ରହିଥାଏ। ତେଣୁ ଏହି ସମୟରେ ସମସ୍ତ ଗରିଷ୍ଠ ଓ ଲଘିଷ୍ଠ ଦ୍ରବ୍ୟ ଶରୀର ପାଇଁ ଗ୍ରହଣୀୟ ହୋଇଥିବାରୁ ଶାସ୍ତ୍ରରେ ଏପରି ଖାଦ୍ୟ ବା ଭୋଜନର ତିଥି ନିର୍ଦ୍ଧାରିତ ହୋଇଥିବା ଜଣାଯାଏ। ଏହି ପ୍ରକ୍ରିୟା ଧର୍ମୀୟ ଚେତନା ସହିତ ଜଡିତ ହୋଇଥିବାରୁ ଏହା ସର୍ବଦା ଜନ ମାନସ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବାର ପ୍ରାସଙ୍ଗିକତା ଅନୁଭବ ହୁଏ।