Latest Odisha News

ହରିଆଣାରେ ହିଂସା: ଗିରଫ ହେଲେଣି ୧୩୯ ଜଣ, ଅଗଷ୍ଟ ୫ ଯାଏଁ ଇଣ୍ଟରନେଟ୍ ସେବା ସ୍ଥଗିତ

ଚଣ୍ଡିଗଡ଼: ଜୁଲାଇ ୩୧ ସୋମବାର ଦିନ ହରିୟାଣାର ନୁହରେ ଘଟିଥିବା ଭୟଙ୍କର ହିଂସା ମାମଲାରେ ଖଟ୍ଟର ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଗୁରୁଗ୍ରାମର ସୋହନାରେ ହୋଇଥିବା ହିଂସା ପରେ ହରିୟାଣା ପୋଲିସ ୧୩୯ ଜଣଙ୍କୁ ଗିରଫ କରିଛି। ଏହା ସହିତ ୬୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ହିଂସା ପ୍ରଭାବିତ ଅଞ୍ଚଳରେ ୨୦ ଟି ପାରାମିଲିଟାରୀ କମ୍ପାନୀ ମଧ୍ୟ ନିୟୋଜିତ ହୋଇଛନ୍ତି।

ହରିଆଣାର ଗୋଷ୍ଠୀ ସଙ୍ଘର୍ଷ ଧୀରେ ଧୀରେ ସାମ୍ପ୍ରଦାୟିକ ହିଂସାର ରୂପ ନେଉଛି। ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନକୁ ମଧ୍ୟ ଅଶାନ୍ତି ବ୍ୟାପୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରିଛନ୍ତି ହରିଆଣା ସରକାର। ରାଜ୍ୟର ନୁହ ସମେତ ଅନ୍ୟ କେତେକ ସ୍ଥାନରେ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ଅଗଷ୍ଟ ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସୂଚନା ଥାଉକି ଜୁଲାଇ ୩୧ ତାରିଖରେ ଏକ ଧାର୍ମିକ ଶୋଭାଯାତ୍ରାକୁ ପଥର ମାଡ କରାଯିବା ପରେ ଏହି ହିଂସାକାଣ୍ଡ ହୋଇଥିଲା। ଏହାପରେ ରାଜ୍ୟର ବ୍ୟାପକ ସ୍ଥାନରେ ପୋଡାଜଳା ହୋଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି। ଏହାକୁ ଦୃଷ୍ଟିରେ ରଖି ସୋମବାର ଅପରାହ୍ନ ୪ ଟାରୁ ହିଁ ନୁହ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବାକୁ ସ୍ଥଗିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

Comments are closed.