Latest Odisha News

BREAKING NEWS

ସରକାର ବଦଳିଛି: ଏବେ ହେବ କି ଛାତ୍ର ସଂସଦ ନିର୍ବାଚନ, ମନ୍ତ୍ରୀ ଦେଲେ ସଫେଇ

ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛି। ବିଜେପି ସରକାର କ୍ଷମତାକୁ ଆସିଛି। ତେଣୁ ଦୀର୍ଘ ବର୍ଷ ହେବ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ଏବେ ଦେଖିବାକୁ ମିଳିବ କି? ସାଧାରଣତଃ ଦୁର୍ଗାପୂଜା ଛୁଟି ସେପ୍ଟେମ୍ବର-ଅକ୍ଟୋବର ପୂର୍ବରୁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ତେବେ ୨୦୧୮ ପରଠାରୁ ରାଜ୍ୟରେ କ୍ୟାମ୍ପସ ନିର୍ବାଚନ ହୋଇନାହିଁ। ଏହା ପୂର୍ବରୁ ମଧ୍ୟ କଲେଜ ନିର୍ବାଚନକୁ ଅଧାରୁ ଅଟକାଇ ଦିଆଯାଇଥିଲା। କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ବାହାନାରେ ଗତ ୬ ବର୍ଷ ମଧ୍ୟରେ କୌଣସି ଛାତ୍ର ପରିଷଦ ନିର୍ବାଚିତ ହୋଇନଥିବା ବେଳେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଆବଶ୍ୟକସ୍ଥଳେ ବିଭିନ୍ନ ସଂସ୍ଥାକୁ ଛାତ୍ର ପ୍ରତିନିଧି ମନୋନୀତ କରୁଛନ୍ତି।

ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଯୁବ ମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର କହିଛନ୍ତି ଯେ ଆଲୋଚନା ଚାଲିଛି ଏବଂ ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବେ।

୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ପାଇଁ କୌଣସି ତାରିଖ ଧାର୍ଯ୍ୟ କରାଯାଇନି। ଏହାକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିରୋଧ କରାଯାଇଥିଲା । ବିଜେପିର ଯୁବ ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟ ଏହି ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ି ଏକ ପିଟିସନ୍ ଦାଖଲ କରିଥିଲା।

୨୦୧୮ରେ ବାତ୍ୟା ତିତଲି ଯୋଗୁଁ କଲେଜ ନିର୍ବାଚନ ବାତିଲ ହୋଇଥିଲା। ଏପରିକି ୨୦୧୭ରେ ନିର୍ବାଚନ ହୋଇଥିବା ବେଳେ ଉତ୍କଳ ଓ ରେଭେନ୍ସା ସମେତ ୫ଟି ବିଶ୍ୱବିଦ୍ୟାଳୟ ଓ ୮ଟି କଲେଜରେ ଛାତ୍ର ହିଂସା ଯୋଗୁଁ ମତଦାନ ହୋଇପାରିନଥିଲା। ୨୦୧୯ରେ କ୍ୟାମ୍ପସ ହିଂସା ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା ଏବଂ ଏହାର ବିକଳ୍ପ ଭାବରେ ଉଚ୍ଚଶିକ୍ଷା ଅନୁଷ୍ଠାନର ବିଭିନ୍ନ ସଂସ୍ଥାରେ ଛାତ୍ର ପ୍ରତିନିଧିଙ୍କୁ ମନୋନୀତ କରିବାକୁ ଦାବି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିର୍ବାଚନକୁ ବାତିଲ କରିବାକୁ ତତ୍କାଳୀନ ଉଚ୍ଚଶିକ୍ଷା ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ସେହିପରି ୨୦୨୦ ଓ ୨୦୨୧ରେ କୋଭିଡ୍-୧୯ ମହାମାରୀ ଯୋଗୁଁ ଛାତ୍ର ସଂସଦ ନିର୍ବାଚନ ହୋଇପାରିନଥିଲା।

Leave A Reply

Your email address will not be published.