Latest Odisha News

ସରକାର ମରୁଡି କ୍ଷୟକ୍ଷତି ରିପୋର୍ଟ ଘୋଷଣା କରିନାହାନ୍ତି, କାହାକୁ କେତେ ଟଙ୍କା ମିଳିବ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ ପ୍ରସଙ୍ଗ ରୋଚକ ହୋଇଛି। ଫସଲ ବୀମାକୁ ନେଇ ଦୁଇ ଦଳ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାର ଇନପୁଟ ସବସିଡି ଘୋଷଣା କରିଛନ୍ତି। ଏଥିପାଇଁ ନିଜ ତହବିଲରୁ ୨୦୦ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ହେଲେ ଏହାକୁ ନେଇ ଏବେ ବିରୋଧୀ ବିଜେପି ଘେରିଛି। ଯେତେବେଳେ ଓଡ଼ିଶାରେ ମରୁଡିରେ କେତେ ଚାଷୀ ପ୍ରଭାବିତ ହୋଇଛନ୍ତି, ସରକାର ତଥ୍ୟ ସାମ୍ନାକୁ ଆଣିନାହାନ୍ତି, ସେତେବେଳେ ଏହା ପ୍ରଚାର ସର୍ବସ୍ୱ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି।

ଜୟନାରାୟଣ ମିଶ୍ର କହିଛନ୍ତି, ପାଖାପାଖି ୨ ବର୍ଷ ମଧ୍ୟରେ କ୍ଷୟକ୍ଷତି ହୋଇଥିବା ଚାଷ ଜମି ଓ ଚାଷୀଙ୍କ ବିଷୟରେ ରାଜ୍ୟ ସରକାର ମରୁଡି ରିପୋର୍ଟ ପ୍ରକାଶ କରିନାହାନ୍ତି । ଜୁଲାଇ ୧୪, ୨୦୨୨ ରେ ଆମ ଦଳର ବିଧାୟକ ମୁକେଶ ମହାଲିଙ୍ଗଙ୍କ ଓଡ଼ିଶାରେ ମରୁଡ଼ି ସ୍ଥିତି ନେଇ ପ୍ରଶ୍ନ କରିଥିଲେ ,ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିଥିଲେ ଯେ ୨୦୨୧ର ଖରିଫ ପାଇଁ ମରୁଡି ଘୋଷଣା କରାଯାଇନାହିଁ । ତେଣୁ  ଏବେ ଯେଉଁ ଘୋଷଣା କରାଯାଇଛି, ଏଥିରେ ସ୍ପଷ୍ଟତା ନାହିଁ ଯେ କେଉଁ ଅଞ୍ଚଳର କେତେ ଚାଷୀଙ୍କୁ କେତେ ସବସିଡି ମିଳିବ ଓ କେବେ ମିଳିବ ?

ମୁଖ୍ୟମନ୍ତ୍ରୀଙ୍କୁ କିଛି ବର୍ଷ ତଳେ ବରଗଡ଼ର ସୋହାଲାରେ ଏକ ଚାଷୀ ସମାବେଶରେ ଧାନରେ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଦେବାର ଘୋଷଣା କରିଥିଲେ, ଯାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ବୋଲି ଜୟନାରାୟଣ କହିଛନ୍ତି।

ଉଲ୍ଲେଖଯୋଗ୍ୟ,  ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରାଯିବ। ଆଜି ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ।

ରାଜ୍ୟ ସରକାର କହିଛନ୍ତି, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨, ୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। ଅଥଚ ଏ ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାନ୍ତି। ଏ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ଏହି ପରିପ୍ରେକ୍ଷୀରେ ପରିସ୍ଥିତିର ଗମ୍ଭୀରତା ଏବଂ ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ପୀଡ଼ିତ ଏବଂ ବଞ୍ଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ବ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୀଡ଼ିତ ଚାଷୀଙ୍କୁ ତତ୍କାଳ ସହାୟତା ରାଶି ପ୍ରଦାନ ଲାଗି ଏହିସବୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ସହାୟତା ରାଶି ସଂର୍ପକରେ ଏସ୍‌ଆର୍‌ସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତ ଚାଷୀଙ୍କ କଷ୍ଟ ଦୂର କରିବାକୁ ଏବେ ୨୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.