Latest Odisha News

BREAKING NEWS

ଦଶହରାରେ ସରକାରଙ୍କର ପୂଜାଭେଟି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଆଜି ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗ୍ରାହକଙ୍କ ଚାହିଦା ଓ ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆ ସ୍କିମ୍ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ,  ସ୍ୱତନ୍ତ୍ର ଏଲଟିସି କ୍ୟାଶ୍ ଭାଉଚର ଓ ଫେଷ୍ଟିଭାଲ ଆଡଭାନ୍ସ ଭାଉଚର୍ ସ୍କିମ୍ ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାର ଅର୍ଥନୀତି ଚାହିଦାରେ ଅଭିବୃଦ୍ଧି ଆଣିବାକୁ ସର୍ବମୋଟ୍ ୪ଟି ପଦକ୍ଷେପ ନେଇଛନ୍ତି । ସରକାରୀ କର୍ମଚାରୀମାନଙ୍କୁ ଏଲଟିସି ବଦଳରେ କ୍ୟାଶ୍ ଭାଉଚର୍ସ, କର୍ମଚାରୀଙ୍କୁ ଫେଷ୍ଟିଭାଲ୍ ଆଡଭାନ୍ସ ଦେବା, ରାଜ୍ୟ ସରକାରମାନଙ୍କୁ ୫୦ ବର୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ବଜେଟରେ ସ୍ଥିର କରାଯାଇଥିବା ପୁଞ୍ଜିଗତ ବ୍ୟୟ ବ୍ୟତୀତ କେନ୍ଦ୍ର ଦ୍ୱାରା ଭିତ୍ତିଭୂମି ବିକାଶ ପାଇଁ ଅତିରିକ୍ତ ୨୫ ହଜାର କୋଟି ଟଙ୍କା ବ୍ୟୟବରାଦ ଭଳି ଚାରୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ସୀତାରମଣ କହିଛନ୍ତି ଯେ, ସୂଚନାନୁସାରେ ସରକାରୀ ତଥା ସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ସଞ୍ଚୟ ବୃଦ୍ଧି ପାଇଛି । ପ୍ରତି ଚାରି ବର୍ଷରେ, କେନ୍ଦ୍ର ସରକାରୀ କର୍ମଚାରୀମାନେ ନିଜ ପସନ୍ଦର ଯେକୌଣସି ଗନ୍ତବ୍ୟସ୍ଥଳକୁ ଏଲ୍‌ଟିସି ପାଆନ୍ତି ଏବଂ ଗୋଟିଏ ନିଜ ସହରକୁ ।ଏଲଟିସି କ୍ୟାଶ୍ ଭାଉଚର ସ୍କିମ୍ ଅନୁଯାୟୀ, ଯଦି ସରକାରୀ କର୍ମଚାରୀ ଅତିକମରେ ୧୨% ଜିଏସଟି ସଂଗ୍ରହ କଲାଭଳି ଯେକୌଣସି ସାମଗ୍ରୀ କିଣୁଛନ୍ତି, ତେବେ ତାଙ୍କର ଛୁଟିଦିନ ପାଇଁ ମିଳୁଥିବା ଟଙ୍କା ଓ ତିନି ଥରର ଟିକେଟ୍ ଭଡ଼ା ବାବଦ ପାଇଁ ଲାଗୁ ହେଉଥିବା ଟଙ୍କା ନେବାର ବିକଳ୍ପ ସୁବିଧା ମିଳିବ।

ସୀତାରମଣ କହିଛନ୍ତି ଯେ, ତଥାପି କେବଳ ଡିଜିଟାଲ କାରବାରକୁ ଅନୁମତି ଦିଆଯିବ ଏବଂ ଜିଏସ୍ଟି ଇନଭଏସ୍ ଉତ୍ପାଦନ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏଲ୍‌ଟିସି କ୍ୟାସ ଭାଉଚର ଯୋଜନା ୨୮,୦୦୦ କୋଟି ଟଙ୍କା ମଧ୍ୟରେ ଅତିରିକ୍ତ ଗ୍ରାହକଙ୍କ ଚାହିଦା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ସେ କହିଛନ୍ତି, “କ୍ୟାସ୍-ଇନ୍-ଲିୟୁ-ଫର୍-ଏଲ୍‌ଟିସି” ରେ କେନ୍ଦ୍ର ସରକାରଙ୍କ ଦେୟ ୫,୬୭୫ କୋଟି ଟଙ୍କା ହେବ ଏବଂ ଅନ୍ୟ ୧୯୦୦ କୋଟି ଟଙ୍କା କେନ୍ଦ୍ରୀୟ ପିଏସ୍‌ୟୁ ଏବଂ ପବ୍ଲିକ ସେକ୍ଟର ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯିବ ।

ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଜରିଆରେ ସରକାର ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଫେଷ୍ଟିଭାଲ୍ ଆଡଭାନ୍ସ ଦେଇଛନ୍ତି । ଏଥିରେ କର୍ମଚାରୀମାନଙ୍କୁ ରୁପେ କାର୍ଡରେ ୧୦ ହଜାର ଟଙ୍କା ଆଡଭାନ୍ସ ମିଳିବ, ଯାହା ୧୦ ମାସର କିସ୍ତିରେ ଆଦାୟ କରାଯିବ। ଏହି ପ୍ରସ୍ତାବ ମାଧ୍ୟମରେ ୮ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଚାହିଦା ବୃଦ୍ଧି ହେବାର ଲକ୍ଷ୍ୟ ରଖିଛନ୍ତି ସରକାର ।ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଖର୍ଚ୍ଚ ହେବାକୁ ଥିବା ୧୦,୦୦୦ ଟଙ୍କା ସୁଧମୁକ୍ତ ଅଗ୍ରୀମକୁ ୧୦ଟି କିସ୍ତିରେ ଫେରସ୍ତ କରାଯିବ । ଏ ବାବଦରେ ସରକାରୀ ବ୍ୟାଙ୍କ ଚାର୍ଜ ବହନ କରିବେ ବୋଲି ସୀତାରମଣ କହିଛନ୍ତି।

ଅର୍ଥନୈତିକ କାର୍ଯ୍ୟକଳାପକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ପୁଞ୍ଜି ପ୍ରକଳ୍ପରେ ଖର୍ଚ୍ଚ ପାଇଁ ରାଜ୍ୟମାନଙ୍କୁ ୧୨,୦୦୦ କୋଟି ଟଙ୍କା ଘୋଷଣା କରିଛି । ୧୨,୦୦୦ କୋଟି ଟଙ୍କାରୁ ୧୬୦୦ କୋଟି ଟଙ୍କା ଉତ୍ତର-ପୂର୍ବ ରାଜ୍ୟକୁ ଦିଆଯିବ ଏବଂ ୯୦୦କୋଟି ଟଙ୍କା ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ପାଇଁ ଥିବାବେଳେ ୭,୫୦୦ କୋଟି ଟଙ୍କା ଅବଶିଷ୍ଟ ରାଜ୍ୟ ପାଇଁ ଦିଆଯିବ । ଅବଶିଷ୍ଟ ୨,୦୦୦ କୋଟି ଟଙ୍କା ପୂର୍ବ ନିର୍ଦ୍ଧାରିତ ସଂସ୍କାର ପୂରଣ କରୁଥିବା ରାଜ୍ୟମାନଙ୍କୁ ଦିଆଯିବ ବୋଲି ସୀତାରମଣ କହିଛନ୍ତି ।

ତେବେ ନୂତନ କିମ୍ବା ଚାଲୁଥିବା ପୁଞ୍ଜି ପ୍ରକଳ୍ପ ପାଇଁ ଏହି ଋଣ ସଂପୂର୍ଣ୍ଣ ଖର୍ଚ୍ଚ କରିବାକୁ ପଡିବ । ରାଜ୍ୟ କଣ୍ଟ୍ରାକ୍ଟର ଏବଂ ଯୋଗାଣକାରୀଙ୍କ ବିଲ୍ ସମାଧାନ କରିପାରନ୍ତି କିନ୍ତୁ ସମସ୍ତ ରାଶି ମାର୍ଚ୍ଚ ୩୧, ୨୦୨୧ ପୂର୍ବରୁ ଦେବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି । ସୀତାରମଣ କହିଛନ୍ତି ଯେ ସଡକ, ପ୍ରତିରକ୍ଷା ଭିତ୍ତିଭୂମି, ଜଳ ଯୋଗାଣ ଏବଂ ସହରାଞ୍ଚଳର ବିକାଶ ପାଇଁ କେନ୍ଦ୍ର ୨୫,୦୦୦ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ବ୍ୟୟ କରିବ । ଏହି ବ୍ୟବସ୍ତା ପୂର୍ବରୁ ହୋଇଥିବା ବଜେଟ୍ ୪.୧୩ ଲକ୍ଷ କୋଟି ଟଙ୍କା ସହିତ ହେବ ।

Leave A Reply

Your email address will not be published.