ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ମିଶନ୍ କମ୍ପାଉଣ୍ଡ ଭିନ୍ନକ୍ଷମ ବିଦ୍ୟାଳୟଟି ବିଭିନ୍ନ ଅବ୍ୟବସ୍ଥାରେ ଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ବିଦ୍ୟାଳୟର ଅଭିଯୋଗ ଜାଣିବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବିଦ୍ୟାଳୟରେ ୮୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ରହି ପାଠ ପଢ଼ୁଛନ୍ତି । ବିଦ୍ୟାଳୟ ଟି ୧୯୮୭ ମସିହାରୁ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ସରକାରୀ ଅନୁଦାନ ପାଉଛି । ହେଲେ ହଷ୍ଟେଲରେ ଖଟ କିମ୍ବା ବିଛଣାଟିଏ ନାହିଁ । ପିଲାମାନେ ତଳେ ମସିଣା ପକାଇ ଶୋଉଛନ୍ତି । ବାସ୍ତବରେ ବିଦ୍ୟାଳୟ ରେ ସର୍ବମୋଟ ୮୭ ଛାତ୍ରଛାତ୍ରୀ ଥିବା ବେଳେ ୧୨୬ ପିଲା ରହୁଥିବା ଦର୍ଶାଇ ସରକାରଙ୍କଠାରୁ ଅନୁଦାନ ନେଉଥିବା ଜଣାପଡିଛି ।
ଉକ୍ତ ବିଦ୍ୟାଳୟର ଆବଶ୍ୟକ ଛାତ୍ର ସଂଖ୍ୟା ନ ଥିବାରୁ ଅନୁଦାନ ମାର୍ଗଦର୍ଶିକା ଧାରା ୧୩(ମ) ଅନୁଯାଇ ଅନୁଦାନ ବନ୍ଦ ରହିବା ନିୟମକୁ ଉଲଘଂନ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ବିଦ୍ୟାଳୟରେ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଦୃଷ୍ଟିହୀନ ବ୍ରେଲି ଶିକ୍ଷକ ନାହାନ୍ତି । ଯାହା ଫଳରେ ଦୃଷ୍ଟିହୀନ ପିଲା ମାନେ ପାଠ ପଢିବାରେ ଅସୁବିଧା ହେଉଛି । ଦୃଷ୍ଟିହୀନ ସଙ୍ଗୀତ ଶିକ୍ଷକ ବଦଳରେ ଦୃଷ୍ଟିବାନ ଶିକ୍ଷକ ରଖିବା ସରକାର ଙ୍କ ପତ୍ର ସଂଖ୍ୟା ୪୫୬ ତା ୧୩/୮/୧୫ କୁ ଭଙ୍ଗ କରୁଛି । ଉକ୍ତ ଅନୁଷ୍ଠାନଟି ଜାତୀୟ ନ୍ୟାସ ସହିତ ପଞ୍ଜୀକୃତ ହୋଇନାହିଁ । ୨୦୨୦ ମାର୍ଚ୍ଚ ମାସ ରେ ଓଡ଼ିଶା ରାଜ୍ୟ ସରକାର ଙ୍କ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗ ଠାରୁ ଚିଠି ସଂଖ୍ୟା ୨୮୬୫ ରେ ଦୁଇ ଲକ୍ଷ ଦଶ ହଜାର ଟଙ୍କା ପ୍ରତି ବିଦ୍ୟାଳୟରେ କଂପ୍ୟୁଟର କିଣିବା ଓ ଅନ୍ୟାନ୍ୟ ଆସବା ପତ୍ର କିଣିବା ପାଇଁ ଅନୁଦାନ ଦିଆଯାଇଥିଲା । କିନ୍ତୁ ବିଦ୍ୟାଳୟ ରେ ଆଜି ସୁଦ୍ଧା କମ୍ପ୍ୟୁଟର କିମ୍ବା ଆନୁସଙ୍ଗିକ ଉପକରଣ ନାହିଁ ।
ବିଦ୍ୟାଳୟ ଠାରୁ ଭିନ୍ନକ୍ଷମ ଛାତ୍ରୀ ନିବାସ ର ଦୂରତା ପ୍ରାୟ ୨ କିଲୋମିଟର ଦୂର । ଭିନ୍ନକ୍ଷମ ଛାତ୍ରୀମାନେ ଦିନକୁ ଦୁଇ ଥର ଖରା ଓ ବର୍ଷରେ ଗହଳି ପୂର୍ଣ୍ଣ ରାସ୍ତା ଦେଇ ଯିବା ଆସିବା କରିବା ଦ୍ୱାରା ବହୁ ଅସୁବିଧା ପରିଲକ୍ଷିତ ହେଉଛି । ଛାତ୍ରାବାସ ଓ ବିଦ୍ୟାଳୟରେ ଆବଶ୍ୟକ ଶୌଚାଳୟ ଓ ଗାଧୋଇବା ଘର ନଥିବାରୁ ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ନ ଥିବା ଅଭିଯୋଗ ହୋଇଛି । ରାଜ୍ୟପାଳ ଏହି ଅଭିଯୋଗ ଜାଣିବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.