Latest Odisha News

ମହିଳା କର୍ମଚାରୀଙ୍କ ପାଇଁ ବଦଳିଲା ପେନସନ ନିୟମ, ପିଲା ପାଇବେ ପେନସନ

ନୂଆଦିଲ୍ଲୀ: ଏଣିକି ବିବାହ ବିବାଦ ସହ ଜଡିତ ମାମଲାରେ ମହିଳା କର୍ମଚାରୀ ସ୍ୱାମୀଙ୍କ ବଦଳରେ ନିଜ ପିଲାଙ୍କୁ ଫ୍ୟାମିଲି ପେନସନ ପାଇଁ ନୋମିନେଟ କରିପାରିବେ । ମହିଳା ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । କେନ୍ଦ୍ରୀୟ ସିଭିଲ ସେବା ନିୟମ ଅନୁଯାୟୀ, ସରକାରୀ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରାବାରିକ ପେନସନ ପାଇଁ ଅନୁମତି ମିଳିଛି ।

ବର୍ତ୍ତମାନର ନିୟମ ଅନୁସାରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପେନସନର ପ୍ରଥମ ଲାଭ ତାଙ୍କ ସ୍ତ୍ରୀ କିମ୍ବା ସ୍ୱାମୀଙ୍କୁ ଦିଆଯାଇଥାଏ । ଯଦି ମୃତ ସରକାରୀ କର୍ମଚାରୀଙ୍କ ଜୀବନସାଥୀଙ୍କ ସହ କୌଣସି ବିବାଦ ଥାଏ କିମ୍ବା ମୃତ୍ୟୁ ହୋଇଯାଇଥାଏ ତେବେ ତାଙ୍କ ସନ୍ତାନ ଓ ପରିବାରର ଅନ୍ୟ ସଦସ୍ୟ ଫ୍ୟାମିଲି ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି । ଅନେକ ଆଲୋଚନା ପରେ ସରକାର ଏବେ ମହିଳା କର୍ମଚାରୀଙ୍କୁ ଏହି ଅନୁମତି ଦେଇଛନ୍ତି । ସେହିପରି ଯଦି କୌଣସି ଅଦାଲତରେ ଛାଡ଼ପତ୍ର ମାମଲା ବିଚାରଧୀନ ରହିଛି ତେବେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ନିଜ ପିଲାଙ୍କୁ ଫ୍ୟାମିଲି ପେନସନ ପାଇଁ ହିତାଧିକାରୀ କରିପାରିବେ । ଏହାଛଡ଼ା ଯଦି ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା, ଯୌତୁକ କିମ୍ବା ଭାରତୀୟ ଦଣ୍ଡ ବିଧାନ ଅଧିନରେ ମାମଲା ରୁଜୁ କରିଥାନ୍ତି ତେବେ ତାଙ୍କ ପିଲାଙ୍କୁ ପେନସନ ଦିଆଯିବ ।

Comments are closed.