Latest Odisha News

BREAKING NEWS

ଖାଦ୍ୟ ଥାଳିରେ ଭୁଟାନ ଆଳୁ !

ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ । ଗତ ୪-୫ ଦିନରେ ଆଳୁ କିଲୋ ପିଛା ୪୫ ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପନିପରିବା ଦର ବଢିଥିବା ବେଳେ ଆଳୁ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଭାରି ବାଧିଛି । ରାଜ୍ୟ ସରକାର ରାଜ୍ୟରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ଅଛି ବୋଲି ଦାବି କରିଛନ୍ତି । ଆବଶ୍ୟକ ପଡିଲେ ଉତ୍ତର ପ୍ରଦେଶରୁ ଆଳୁ ଆମଦାନି କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାର । କେବଳ ଓଡିଶା ନୁହେଁ, ଭାରତର ଅନେକ ରାଜ୍ୟରେ ଆଳୁ ଦର ଉପରମୁହାଁ ହୋଇଛି ।

ପ୍ରତିକୂଳ ପାଗ ଯୋଗୁଁ ଭାରତରେ ଆଳୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଭଳି ପ୍ରମୁଖ ଆଳୁ ଉତ୍ପାଦନ ରାଜ୍ୟରେ ବି ଏଥର ଅମଳ ପର୍ଯ୍ୟାପ୍ତ ହୋଇନାହିଁ । ନିଅଂଟିଆ ପରିସ୍ଥିତି ସହ ଉଚ୍ଚ ଦର କେନ୍ଦ୍ର ସରକାରଙ୍କ ସମସ୍ୟା ବଢାଇଛି । ତେଣୁ  ପଡୋଶୀ ଭୁଟାନରୁ ଆଳୁ ଆଣିବାକୁ ବିଚାର କରୁଛନ୍ତି ସରକାର । ଭୁଟାନ ସମେତ ଅନ୍ୟ ଦେଶରୁ ଆଳୁ ଆମଦାନୀ ପାଇଁ ସରକାର ବ୍ୟବସାୟୀମାନଙ୍କୁ ଅନୁମତି ଦେଇପାରନ୍ତି ।

ବିଶ୍ୱରେ ଆଳୁ ଉତ୍ପାଦନରେ ଚୀନ୍ ପରେ ଭାରତର ସ୍ଥାନ ଦ୍ୱିତୀୟ । ଘରୋଇ ବଜାରରେ ଅଭାବ ଦେଖାଗଲେ ଭାରତ ସାଧାରଣତଃ ଭୁଟାନ, ନେପାଳ କିମ୍ବା ବ୍ରାଜିଲ ଓ ମୋଜାମ୍ବିକରୁ ଆଳୁ ଆମଦାନୀ କରିଥାଏ । ଏଥର ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ଖରାପ ପାଗ ଯୋଗୁଁ  ବାଧାପ୍ରାପ୍ତ ହୋଇଛି ଚାଷ । ଏଥିଯୋଗୁଁ ଆଳୁ ଦର ହୋଇଛି ଆକାଶ ଛୁଆଁ । କିଛି କୃଷିବିତଙ୍କ ଆକଳନ ଅନୁସାରେ ଅକ୍ଟୋବର ଯାଏଁ ଆଳୁ ଦର ସ୍ୱାଭାବିକଠାରୁ ଅଧିକ ରହିବ । ଅନେକ ବୃହତ ଚାଷୀ ଓ ବେପାରୀ ଆଗକୁ ଆହୁରି ଦରବୃଦ୍ଧି ଅନୁମାନ କରି ଆଳୁ ମହଜୁଦ କରି ରଖୁଛନ୍ତି । ଏଥର ଶୀତଳ ଭଣ୍ଡାରଗୁଡିକରେ ମଧ୍ୟ ଆଳୁ ଲୋଡିଂ କମ୍ ହୋଇଥିବା ଟ୍ରେଡ୍ ଏକ୍ସପର୍ଟମାନେ କହିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରାଳୟର ଆଗୁଆ ଅନୁମାନ ଅନୁସାରେ ଏ ବର୍ଷ ଆଳୁ ଉତ୍ପାଦନ ପାଖାପାଖି ୫୮ ଦଶମିକ ୯୯ ମିଲିଅନ ଟନ୍ ହେବ, ଯାହା କି ଗତବର୍ଷଠାରୁ କମ୍ । ଗତବର୍ଷ ୬୦ ଦଶମିକ ୧୪ ମିଲିଅନ ଟନ୍ ଆଳୁ ଉତ୍ପାଦନ ହୋଇଥିଲା । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଆଳୁ ଫସଲ ରୋଗ ପ୍ରଭାବିତ ହେବ ବୋଲି କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ଚାଷୀମାନଙ୍କୁ ଚେତାବନୀ ଦେଇଥିଲା ।

ଆଳୁ, ପିଆଜ ଓ ଟମାଟୋର ଦର ବଢିଥିବାରୁ ୯ ଦଶମିକ ୪ ପ୍ରତିଶତକୁ ବୃଦ୍ଧି ପାଇଛି ଖାଦ୍ୟ ମୁଦ୍ରାସ୍ଫୀତି । ଗତବର୍ଷ କେନ୍ଦ୍ର ସରକାର ବିନା ଲାଇସେନ୍‌ସରେ ଭୁଟାନରୁ ଏ ବର୍ଷ ଜୁନ୍ ଯାଏଁ ଆଳୁ ଆମଦାନୀ ପାଇଁ ଅନୁମତି ଦେଇଥିଲେ । ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ୧ ଦଶମିକ ୨ ମିଲିଅନ ଆମେରିକୀୟ ଡଲାରରେ ନୂଆ ଆଳୁ ବିଦେଶରୁ ଆମଦାନୀ କରିଥିଲ। । ଆଳୁ ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ରହି ମଧ୍ୟ ବିଦେଶରୁ ଆଳୁ ଆମଦାନୀ କରୁଛି ଭାରତ ।

Comments are closed.