ପୁରୀ: ମ୍ୟୁନିସିପାଲିଟି ପକ୍ଷରୁ ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବା ପ୍ରକ୍ରିୟା ଶେଷ କରିବାକୁ ଓଡ଼ିଶା ସରକାର ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୫୦୪ ଏକର ଜମିକୁ ଦୀର୍ଘ ଦିନ ଧରି ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ଲିଜ୍ ଦିଆଯାଇଥିବା ବୈଠକରେ ପ୍ରକାଶ ପାଇଥିଲା।
ସେହି ଜମିଗୁଡ଼ିକୁ ନିୟମିତ କରିବା ପାଇଁ ସରକାର ୨୦ ଦିନ ମଧ୍ୟରେ ସର୍ଭେ କାମ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିୟମ ଅନୁଯାୟୀ ଲିଜଧାରୀଙ୍କ ଠାରୁ ଆଦାୟ ହେବାକୁ ଥିବା ବକେୟା ଅର୍ଥ ନିର୍ଦ୍ଧାରଣ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ଅତିରିକ୍ତ ରାଜସ୍ୱ ଅଧିକାରୀଙ୍କୁ ନିୟୋଜିତ କରାଯିବ। ପୂର୍ବରୁ ପୁରୀ ଗସ୍ତ ସମୟରେ ୫(ଟି) ସଚିବ ଭି. କେ. ପାଣ୍ଡିଆନ ଏ ସମ୍ପର୍କରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ପାଇଥିଲେ।
ନୟାଗଡ଼ ଜିଲ୍ଲା ମଞ୍ଜରୀ ଗାଁ ନିକଟରେ ବର୍ତ୍ତନଙ୍ଗ ନଦୀ ଉପରେ ଜଳଭଣ୍ଡାର ନିର୍ମାଣ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏଥିରେ ପରିବେଶ ଓ ଅନ୍ୟାନ୍ୟ ଅନୁମୋଦନ ପାଇବା ପରେ ତୁରନ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
Comments are closed.