Latest Odisha News

BREAKING NEWS

Delimitation Bill: ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍! ବସିବ ସ୍ୱତନ୍ତ୍ର ସଂସଦ ଅଧିବେଶନ, ରାହୁଲ-ରିଜିଜୁଙ୍କ ଦୀର୍ଘ ଆଲୋଚନା

ନୂଆଦିଲ୍ଲୀ: ସୀମା ନିର୍ଦ୍ଧାରଣ (ପରିସୀମନ) ବିଲ୍‌ ଏବଂ ମହିଳା ସଂରକ୍ଷଣକୁ ନେଇ ଦେଶର ରାଜନୈତିକ ପରିବେଶ ଏବେ ସରଗରମ ହୋଇଉଠିଛି। ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ସ୍ୱାଧୀନତା ଦିବସ ପରେ ସଂସଦର ଏକ ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅଗଷ୍ଟ ୧୬ରୁ ୧୮ କିମ୍ବା ୧୭ରୁ ୧୯ ମଧ୍ୟରେ ଏହି ଅଧିବେଶନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ସୀମା ନିର୍ଦ୍ଧାରଣ ବିଲ୍‌ ଉପରେ ଆଲୋଚନା କରି ଏହାକୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସଂସଦରେ ଚାଲିଥିବା ଅଚଳାବସ୍ଥା ଦୂର କରିବା ପାଇଁ ବୁଧବାର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ପ୍ରାୟ ୫୦ ମିନିଟ୍ ଧରି ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ସୂତ୍ର ମୁତାବକ, ସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସମ୍ବନ୍ଧୀୟ ସମ୍ବିଧାନ ସଂଶୋଧନ ବିଧେୟକ ପାଇଁ କଂଗ୍ରେସର ସହଯୋଗ ଲୋଡ଼ିଥିଲେ ରିଜିଜୁ।

ସରକାର କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି। ସୂତ୍ର ଅନୁସାରେ, କିରନ ରିଜିଜୁଙ୍କୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନାର ଦାୟିତ୍ୱ ଦିଆଯାଇଥିବା ବେଳେ, ପ୍ରହ୍ଲାଦ ଯୋଶୀ, ପୀୟୂଷ ଗୋଏଲ, ଅର୍ଜୁନ ରାମ ମେଘୱାଲ ଓ ଏସ୍‌. ମୁରୁଗନଙ୍କୁ ଅନ୍ୟ ବିରୋଧୀ ଦଳ ସହ ସହମତି ସୃଷ୍ଟି କରିବାର ଦାୟିତ୍ୱ ମିଳିଛି।

ସୂଚନା ମୁତାବକ, ସରକାରଙ୍କ ସାମ୍ନାରେ ବର୍ତ୍ତମାନ ଦୁଇଟି ବିକଳ୍ପ ରହିଛି। ପ୍ରଥମଟି ହେଲା, ମୌସୁମୀ ଅଧିବେଶନର ଶେଷ ସପ୍ତାହରେ ବିରୋଧୀଙ୍କ ସହ ସହମତି ସୃଷ୍ଟି କରି ବିଲ୍‌ ଉପସ୍ଥାପନ କରିବା। ଦ୍ୱିତୀୟ ବିକଳ୍ପ ହେଉଛି, ଅଗଷ୍ଟ ୧୫ ପରେ ସ୍ୱତନ୍ତ୍ର ଅଧିବେଶନ ଡାକି ବିଲ୍‌କୁ ପାରିତ କରାଇବା।

ପ୍ରସ୍ତାବିତ ବିଧେୟକରେ ଲୋକସଭା ଓ ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବଢ଼ାଇବା ଏବଂ ଆଗାମୀ ଲୋକସଭା ନିର୍ବାଚନରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବାର ବ୍ୟବସ୍ଥା ରହିଛି। ଚର୍ଚ୍ଚା ହେଉଛି ଯେ, ଆସନ ବୃଦ୍ଧି ସମ୍ବନ୍ଧୀୟ ସ୍ପଷ୍ଟ ବ୍ୟବସ୍ଥାକୁ ବିଲ୍‌ରେ ଲିଖିତ ଭାବେ ସାମିଲ କରାଯାଇପାରେ, ଯାହାଦ୍ୱାରା କିଛି କ୍ଷେତ୍ରୀୟ ଦଳଙ୍କ ସମର୍ଥନ ମିଳିପାରେ।

ପ୍ରସ୍ତାବ ଅନୁଯାୟୀ, ସମ୍ବିଧାନର ଅନୁଚ୍ଛେଦ ୮୧ରେ ସଂଶୋଧନ କରି ଲୋକସଭାର ମୋଟ ସଦସ୍ୟ ସଂଖ୍ୟା ୫୪୩ରୁ ବଢ଼ି ୮୫୦ କରାଯିବ। ସେଥିରୁ ୮୧୫ଟି ଆସନ ରାଜ୍ୟଗୁଡ଼ିକ ପାଇଁ ଏବଂ ୩୫ଟି ଆସନ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସଂରକ୍ଷିତ ରହିବ।

ଅନ୍ୟପକ୍ଷରେ, କଂଗ୍ରେସ ପୂର୍ବରୁ ହିଁ ସ୍ପଷ୍ଟ କରିଛି ଯେ, ସରକାର ସୀମା ନିର୍ଦ୍ଧାରଣ ବିଲ୍‌ ଆଣିଲେ ଦଳ ଏହାକୁ ବିରୋଧ କରିବ। ତେବେ ବଦଳିଥିବା ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ସରକାର ଉଭୟ ସଦନରେ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ମିଳିବ ବୋଲି ଆଶାବାଦୀ ରହିଛନ୍ତି।

ଏହାସହ ସରକାର ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୬ (FCRA Amendment Bill, 2026)କୁ ମଧ୍ୟ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ସ୍ୱତନ୍ତ୍ର ଅଧିବେଶନର ତାରିଖ ଓ କାର୍ଯ୍ୟସୂଚୀକୁ ନେଇ ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ।

Leave A Reply

Your email address will not be published.