ଭୁବନେଶ୍ବର: ଆସୁଛି ବାତ୍ୟା ସି-ତ୍ରାଙ୍ଗ । ଏକ ସପ୍ତାହ ପରେ ଓଡ଼ିଶାର ସ୍ଥଳଭାଗ ଛୁଇଁବାର ସଂଭାବନା ରହିଛି । ଗୋପାଳପୁରରୁ ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ ହୋଇପାରେ । ଏହି ଖବର ଗଣମାଧ୍ୟମରେ ଯେତେ ପ୍ରଚାର ହେଉଛି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପରିବା ରେଟ ମଧ୍ୟ ଗତ ଦୁଇ ଦିନ ଭିତରେ ବଢ଼ିବାରେ ଲାଗିଛି । ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଖାଦ୍ୟ ଶସ୍ୟଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ କରିବାରେ ଲାଗିଛନ୍ତି । ଏହାକୁ ଦେଖି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବେପାରୀଙ୍କୁ ସେପରି ନକରିବା ପାଇଁ କହିଛନ୍ତି ।
ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ଯୋଗାଣ ବିଭାଗ ଏହା ଉପରେ ନଜର ରଖିଥିବା ମନ୍ତ୍ରୀ କହିଛନ୍ତି । ଲୋକେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ନକିଣିବା ପାଇଁ ମଧ୍ୟ ମନ୍ତ୍ରୀ କହିଛନ୍ତି । ଯଦି ଅସାଧୁ ବ୍ୟବସାୟୀ କଳାବଜାରୀ କରନ୍ତି, ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଯଦି କୈାଣସି ବେପାରୀ ଏପରି କରେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ପୂର୍ବରୁ ଲୋକଙ୍କ ପାଖରୁ ଅଧିକ ଦର ନେବାର ପ୍ରମାଣ ମିଳିଲେ ଜେଲ ଯିବାକୁ ପଡିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ମହଜୁଦ ଅଛି । ତେବେ କିଛି ସ୍ଥାନରେ ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଦର ବଢ଼ାଉଥିବା ଅଭିଯୋଗ ଆସିଥିବା ସେ କହିଛନ୍ତି ।
Comments are closed.