Latest Odisha News

ଭାରତର ପ୍ରଥମ ମାନବ ମହାକାଶଯାତ୍ରା ପାଇଁ ମନୋନୀତ ହେଲେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଜଣେ ଭାରତୀୟ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର-ଆଇଏସଏସକୁ ଉଡାଣ ଭରିବେ । ଭାରତର ପ୍ରଥମ ମାନବ ମହାକାଶଯାତ୍ରା ପାଇଁ ମନୋନୀତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ନାସା ସହାୟତାରେ ଆଇଏସଏସରେ ଉଡିବେ । ମହାକାଶ ଅଭିଜ୍ଞତା ହାସଲ ପାଇଁ ଶୁଭାଂଶୁଙ୍କୁ ଆଇଏସଏସ ପଠାଇବାକୁ ନିଷ୍ପତ୍ତି ନେଇଛି ଇସ୍ରୋ । ଆମେରିକାର ଆକ୍ସିଅମ୍ ସ୍ପେସ୍ ଆଇଏନସି ସହ ସ୍ପେସ୍ ଫ୍ଲାଇଟ୍ ରାଜିନାମା ପରେ ଜଣେ ଭାରତୀୟ ଗଗନଯାତ୍ରୀଙ୍କୁ ନାସା ସହଯୋଗରେ ଆଇଏସଏସ ପଠାଇବାକୁ ଘୋଷଣା କରିଛି ଇସ୍ରୋ ।

ଆଇଏସଏସ ମିଶନ ପାଇଁ ଉତ୍ତର ପ୍ରଦେଶର ଶୁଭାଂଶୁଙ୍କୁ ପ୍ରାଇନ୍ ଆଷ୍ଟ୍ରୋନାଟ ଭାବେ ଚୟନ କରିଛି ଇସ୍ରୋ । ଆଇଏସଏସରେ ଭାରତର ପ୍ରତିନିଧିତ୍ୱ କରିବେ ଶୁଭାଂଶୁ । ଶୁଭାଂଶୁ ଅନ୍ୟ ମହାକାଶ ଯାତ୍ରୀଙ୍କ ସହ ଚଳିତ ସପ୍ତାହରେ ପ୍ରଶିକ୍ଷଣ ଆରମ୍ଭ କରିବେ । ନିକଟରେ ଭାରତୀୟ ବାୟୁସେନାରେ ଶୁଭାଂଶୁଙ୍କୁ ପଦୋନ୍ନତି ଦିଆଯାଇଛି । ନ୍ୟାସନାଲ ମିଶନ ଏସାଇନମେଂଟ ବୋର୍ଡ ନାମକ ଏକ ଉପଦେଷ୍ଟା ବୋର୍ଡ ଆଇଏସଏସକୁ ଯିବା ପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ନାମ ମୁଖ୍ୟ ଗଗନଯାତ୍ରୀ ଭାବେ ସୁପାରିଶ କରିଥିଲା । ବ୍ୟାକଅପ୍ ମିଶନ ଭାବେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟାର ମନୋନୀତ ହୋଇଛନ୍ତି ।

ଶୁଭାଂଶୁଙ୍କ ସହ ଆମେରିକାର ପେଗି ହ୍ୱିଷ୍ଟନ, ପୋଲାଣ୍ଡର ସେଓା୍ୱସ ଉଜନାନ୍ସକି ଓ ହଙ୍ଗେରୀର ଟିବର କାପୁ ଆଇଏସଏସକୁ ଉଡାଣ ଭରିବେ । ୪ ଜଣିଆ ମହାକାଶଯାତ୍ରୀଙ୍କ ଟିମ୍ ଆଇଏସଏସରେ ରହି ବିଭିନ୍ନ ଗବେଷଣା କରିବେ । ଆଇଏସଏସରେ ଶୁଭାଂଶୁଙ୍କ ଅଭିଜ୍ଞତା ଭାରତର ଆଗାମୀ ମାନବ ଗଗନଯାନ ଅଭିଯାନ ପାଇଁ ବେଶ୍ ଉପାଦେୟ ହେବ ବୋଲି ଇସ୍ରୋ କହିଛି । ନାସା ଓ ଇସ୍ରୋ ମଧ୍ୟରେ ଏହି ମିଳିତ ମହାକାଶ ଅଭିଯାନ ସଂପର୍କରେ ଗତବର୍ଷ ଆମେରିକା ଗସ୍ତରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାସାର ଆଇଏସଏସ ଉଡାଣ ପାଇଁ ମନୋନୀତ ହୋଇଥିବା ଶୁଭାଂଶୁ ଶୁକ୍ଳା ଉତ୍ତର ପ୍ରଦେଶର ବାସିନ୍ଦା ।

ମାତ୍ର ୧୮ ବର୍ଷ ବୟସରେ ସେ ଦେଶସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ଘରେ କାହାକୁ ନଜଣାଇ ଜାତୀୟ ପ୍ରତିରକ୍ଷା ଏକାଡେମୀ-ଏନଡିଏରେ ଭର୍ତ୍ତିହେବା ପାଇଁ ଫର୍ମ ପୂରଣ କରିଥିଲେ ଶୁୁଭାଂଶୁ । ୧୮ ବର୍ଷ ପରେ ପୁଣି ସେ ଘରେ କାହାକୁ ନ ଜଣାଇ ଗଗନଯାନ ଅଭିଯାନରେ ନିଜକୁ ସାମିଲ କରିଥିଲେ ବୋଲି ବଡ ଭଉଣୀ ସୁଚି ଶୁକ୍ଳା କହନ୍ତି । ୨୦୦୬ରେ ଶୁଭାଂଶୁଙ୍କୁ ଭାରତୀୟ ବାୟୁସେନାର ଲଢୁଆ ଷ୍ଟ୍ରିମ ପାଇଁ କମିଶନ କରାଯାଇଥିଲା । ଳଢୁଆ ପାଇଲଟ ଲିଡର ଭାବେ ଶୁଭାଂଶୁଙ୍କ ୨ ହଜାର ଘଂଟାରୁ ଅଧିକ ଉଡାଣର ଅଭିଜ୍ଞତା ରହିଛି । ସୁଖୋଇ-୩୦, ମିଗ୍‌-୨୧, ମିଗ୍‌-୨୯, ଜାଗୁଆର, ହକ୍‌, ଡର୍ନିଏର ଏବଂ ଏଏନ-୩୨ ଭଳି ବିମାନ ଉଡାଇଛନ୍ତି ଶୁଭାଂଶୁ ଶୁକ୍ଳା ।

Comments are closed.